ଯାଜପୁର,୦୮/୦୩/୨୦୨୬ (ଓଡ଼ିଶା ସମାଚାର)-ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ୧ କୋଟିରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିରେ ବଣ୍ଟନ କରାଯାଇଛି। ଏହିକ୍ରମରେ ଯାଜପୁର ଜିଲ୍ଲାରେ ମଧ୍ୟ ମହିଳା ହିତାଧିକାରୀମାନଙ୍କୁ ସୁଭଦ୍ରାର ଚତୁର୍ଥ କିସ୍ତି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ନିଜ ବକ୍ତବ୍ୟରେ କହିଥିଲେ ଯେ ନାରୀଶକ୍ତିର ଜୟଗାନ ପାଇଁ ସୁଭଦ୍ରା ଏକ ଐତିହାସିକ ପଦକ୍ଷେପ। ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିଛି ଏବଂ ଦକ୍ଷତା ଓ ଉଦ୍ୟୋମିତା ବିକାଶ ହେଉଛି। ମହିଳାଙ୍କ ସମ୍ମାନ ବୃଦ୍ଧି ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରମାଣ ବୋଲି ମନ୍ତ୍ରୀ କହିଥିଲେ। ମହିଳାଙ୍କ ଉନ୍ନତିକୁ ଦୃଷ୍ଟିରେ ରଖି ବଜେଟରେ ସୁଭଦ୍ରା ଶକ୍ତି ସମ୍ବାଦ ଯୋଜନାର ପ୍ରସ୍ତାବ ଦିଆଯାଇଛି। ଏହି ଯୋଜନାରେ ସୁଭଦ୍ରା ହିତାଧିକାରୀଙ୍କ ଅଭିଜ୍ଞତା ବାଣ୍ଟିବା, ସମସ୍ୟା ସମାଧାନ ପାଇଁ ଅଧିକାରୀଙ୍କ ସହ ଆଲୋଚନା କରି ଅଭିଯୋଗ ନିରାକରଣ, ପରାମର୍ଶ ଓ ମାର୍ଗଦର୍ଶନ ସହାୟତା ଅନ୍ତର୍ଭୁକ୍ତ ରହିଛି। ଶାରୀରିକ ମାନସିକ ସୁସ୍ଥତା, ପୁଷ୍ଟିକର ଖାଦ୍ୟ ଓ ଅର୍ଥନୈତିକ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ “ସୁଭଦ୍ରା ୱେଲନେସ ସେଣ୍ଟର” ପ୍ରତିଷ୍ଠା ହେବ। ଯାଜପୁର ଜିଲ୍ଲାରେ ପ୍ରାୟ ୪ ଲକ୍ଷ ୬୯ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା ଚତୁର୍ଥ କିସ୍ତିର ଅର୍ଥରାଶି ବଣ୍ଟନ କରାଯାଉଛି। 
ସୁଭଦ୍ରା ଅର୍ଥରାଶି ସାହାଯ୍ୟରେ ଯାଜପୁର ଜିଲ୍ଲାର ଅନେକ ମହିଳା ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି ଏବଂ ଏହାରି ମାଧ୍ୟମରେ ଲକ୍ଷପତି ଦିଦି ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ବଳ ସାମନ୍ତ କହିଛନ୍ତି। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କହିଥିଲେ ଯେ ଓଡ଼ିଶାର ମହିଳାଙ୍କ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧିରେ ସୁଭଦ୍ରା ଯୋଜନା ଏକ ବଳିଷ୍ଠ ପଦକ୍ଷେପ। ସୁଭଦ୍ରା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପାର୍ବତୀ ସାହୁ, ଦାନଗଦି ବିଡ଼ିଓ ଶ୍ରୀ ପ୍ରଦୀପ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସାହୁ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଆୟୋଜିତ ପ୍ରବନ୍ଧ, କୁଇଜ୍, ଖୋଖୋ , କବାଡି, ଝୋଟି ଭଳି ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହାସହ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ତିନି ଜଣ ସୁପରଭାଇଜର, ଶ୍ରେଷ୍ଠ ସିଡିପିଓ, ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ପୁରୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିବା ସୁଭଦ୍ରା କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଉପସ୍ଥିତ ଜନ ସାଧାରଣ ଏବଂ ଅଧିକାରୀମାନେ ଦେଖିଥିଲେ। ଏଥିରେ ଜିଲ୍ଲାର ମହିଳା ହିତାଧିକାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

