ଭୁବନେଶ୍ୱର,୦୪/୦୩/୨୦୨୬ (ଓଡ଼ିଶା ସମାଚାର)- ଚଳିତ ବର୍ଷ ଆସନ୍ତା କାଲି ମାର୍ଚ୍ଚ ୫ ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ପ୍ରଦାନ କରାଯାଇଛି । ସୋମବାର ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଜିଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ବିଜୁ ଜୟନ୍ତୀ ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।
ଦେବୀ ପ୍ରସାଦ ମିଶ୍ର କହିଲେ, ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ, ବିଜୁ ଜୟନ୍ତୀ ପାଇଁ ମାର୍ଚ୍ଚ ୫ ତାରିଖରେ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ରାଜ୍ୟର ସମସ୍ତ ଜିଲା ସଭାପତି ଓ ସମସ୍ତ ନିର୍ବାଚନ ମଣ୍ଡଳୀର ନେତୃତ୍ୱଙ୍କୁ ଜଣାଇ ଦିଆଯାଇଛି ।
