୬.୫ ଲକ୍ଷ ଠକି ନେଲେ ସାଇବର ଠକ

କେନ୍ଦ୍ରାପଡ଼ା,୦୩/୦୩/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଘର ନିର୍ମାଣ କରିବା ପାଇଁ ରଡ ଓ ସିମେଂଟ ଶସ୍ତା ଦରରେ ଯୋଗାଇ ଦେବାକୁ କହି ସାଇବର ଠକ ଜଣକ ୬ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି । ଏ ନେଇ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଗୁଲନଗର ଗ୍ରାମର ଖଗେଶ୍ୱର ସେଠୀ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଘର ନିର୍ମାଣ କରିବାର ଯୋଜନା ଥିଲା ।

ଏହା ମଧ୍ୟରେ ଏକ ଅଜଣା ନମ୍ବରରୁ ତାଙ୍କ ସାନ ଭାଇଙ୍କ ଫୋନକୁ ଏକ କଲ ଆସିଥିଲା । ସଂପୃକ୍ତ ବ୍ୟକ୍ତି ଜଣକ ଏକ ଦାମୀ ସିମେଂଟ କମ୍ପାନୀର ନିର୍ବାହୀ ଅଧିକାରୀ କୁଲଦୀପ ଅଗ୍ରୱାଲ ବୋଲି ପରିଚୟ ଦେଇଥିଲେ । ଖଗେଶ୍ୱର ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ । ଶସ୍ତାରେ ରଡ୍ ଓ ସିମେଂଟ ଯୋଗାଇ ଦେବେ ବୋଲି ବ୍ୟକ୍ତି ଜଣକ ଖଗେଶ୍ୱରଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ସଂପୃକ୍ତ ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ଖଗଶ୍ୱର ତାଙ୍କ ଆକାଉଂଟରୁ ୬ ଲକ୍ଷ ୫୦ ହଜାର ଟଙ୍କା ଏନଇଏଫଟି ଜରିଆରେ ସଂପୃକ୍ତ ବ୍ୟକ୍ତି କହିଥିବା ବ୍ୟାଙ୍କ ଆକାଉଂଟକୁ ପଠାଇଥିଲେ । ଏହାପରେ ସଂପୃକ୍ତ ଫୋନ ନମ୍ବରଟି ସ୍ୱିଚ ଅଫ ହୋଇ ଯାଇଥିଲା । ଏହାପରେ ଖଗେଶ୍ୱର ଜାଣିବାକୁ ପାଇଥିଲେ ସେ ସାଇବର ଠକଙ୍କ ଶିକାର ହୋଇଛନ୍ତି । ତେଣୁ ସେ ପ୍ରଥମେ କେନ୍ଦ୍ରାପଡ଼ା ସଦର ଥାନାକୁ ଯାଇଥିଲେ । ସଦର ଥାନା ପୋଲିସର ନିର୍ଦେଶ ମୁତାବକ ସେ କଟକ ସାଇବର ଥାନାକୁ ଯାଇଥିଲେ । ସେଠାରେ ଠକେଇ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

 

Leave a Reply

Your email address will not be published. Required fields are marked *