ଭୁବନେଶ୍ୱର,୦୩/୦୩/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ସବୁ ଅପେକ୍ଷାର ଅନ୍ତ ଘଟିଛି। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ସୁଜିତ୍ କୁମାରଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। ଏ ସଂପର୍କରେ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ଦଳ ରାଜ୍ୟସଭା ଟିକଟ ଦେଇଛି। ସୁଜିତ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲରେ ସରୁଥିଲା ବେଳେ ବିଜେପି ପୁଣି ତାଙ୍କୁ ଭରସା କରିଛି। ନିର୍ବାଚନ ପୂର୍ବରୁ ସଭାପତି ଭାର ତୁଲାଉଥିବା ମନମୋହନ ଙ୍କୁ ଦଳ ପୁଣି ସଭାପତି ପଦ ଦେଇଥିଲା। ରାଜ୍ୟରେ ବିଜେପି ସରକାର ଗଢ଼ିବାରେ ତାଙ୍କର ଗୁରୁ ଦାୟିତ୍ବ ଥିଲା। ଏପରିକି ୧୯୯୯ରୁ ୨୦୦୪ ଯାଏ ମଧ୍ୟ ମନମୋହନ ଦଳର ସଭାପତି ଦାୟିତ୍ବ ତୁଲାଇଥିଲେ। ସୁଜିତ କୁମାର ବିଜେଡିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୨୦୨୪ରେ ସୁଜିତ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହାପରେ ସେ ପୁଣି ବିଜେପି ଟିକଟରେ ରାଜ୍ୟସଭାକୁ ଯାଇଥିଲେ।ଓଡ଼ିଶାରେ ବିଜେପିର ବିଧାୟକ ସଂଖ୍ୟାକୁ ଦୃଷ୍ଟିରେ ରଖିଲେ ଏହି ଦୁଇ ପ୍ରାର୍ଥୀଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

