ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ସମ୍ପର୍କ ମଜଭୁତ କରିବାକୁ ଓଡ଼ିଶା ଆଗ୍ରହୀ
ଭୁବନେଶ୍ୱର,୦୨/୦୯/୨୦୨୫(ଓଡ଼ିଶା ସମାଚାର) – ଓଡ଼ିଶା ଦକ୍ଷତା ବିକାଶ ପଦକ୍ଷେପ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରାଯାଉଛି । ସ୍କିଲ୍ଡ ଇନ୍ ଓଡ଼ିଶା ପଦକ୍ଷେପ ଏବେ ବିଶ୍ୱସ୍ତରୀୟ ସ୍ୱୀକୃତିପା୍ରପ୍ତ ବ୍ରାଣ୍ଡ୍ । ୟୁରୋପୀୟ ଦେଶଗୁଡ଼ିକରେ ଓଡ଼ିଶା ଆକାଂକ୍ଷୀ ଯୁବକମାନଙ୍କ ପାଇଁ ଉତମ ସୁଯୋଗ ଯୋଗାଇବା ଦରକାର । କାରଣ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ସମ୍ପର୍କ ମଜଭୁତ୍ କରିବାକୁ ଓଡ଼ିଶା ଆଗ୍ରହୀ । ସେଥିପାଇଁ ରାଜ୍ୟର ଯୁବକମାନଙ୍କ ପାଇଁ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।
ସୋମବାର ଲୋକସେବା ଭବନରେ ୨୦୦୦ ଓ ୨୦୦୧ ବ୍ୟାଚର ଭାରତୀୟ ବୈଦେଶିକ ସେବା (ଆଇଏଫଏସ୍) ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ପ୍ରତିନିଧି ଦଳରେ ରୋମାନିଆରେ ଭାରତର ରାଷ୍ଟ୍ରଦୂତ ଡକ୍ଟର ମନୋଜ କୁମାର ମହାପାତ୍ର, ସ୍ଲୋଭେନିଆ ଗଣରାଜ୍ୟରେ ଭାରତର ରାଷ୍ଟ୍ରଦୂତ ଅମିତ ନାରଙ୍ଗ ଏବଂ ମାଲଟା ଗଣରାଜ୍ୟରେ ଭାରତର ହାଇ କମିଶନର ଗ୍ଲୋରିଆ ଗାଙ୍ଗଟେ ସାମିଲ ଅଛନ୍ତି । ବୈଠକରେ ଅଧିକାରୀମାନେ ଶାସନ, ଓଡ଼ିଶାରେ ବିକାଶ ପଦକ୍ଷେପ ଓ ବିଶ୍ୱସ୍ତରରେ ଭାରତର କୂଟନୈତିକ ସମ୍ପର୍କର ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ବର୍ଷକ ଭିତରେ ରାଜ୍ୟ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିବା, ଚଳିତ ବର୍ଷ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ଏବଂ “ଜନତା ମୁଖ୍ୟମନ୍ତ୍ରୀ’ ଭାବରେ ଅଭିହିତ ହେବା କିଛି କମ୍ କଥା ନୁହେଁ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଧିକାରୀମାନେ ପ୍ରଶଂସା କରିଥିଲେ । ଏହି ଅବସରରେ ଅଧିକାରୀମାନଙ୍କୁ ଦେଶ ପ୍ରତି ସେମାନଙ୍କର ନିରନ୍ତର ସେବା ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ଏବଂ ବିଦେଶରେ ଭାରତର ସ୍ୱାର୍ଥକୁ ପ୍ରତିନିଧିତ୍ୱ କରିବାରେ ଅବଦାନ ଖୁବ୍ ବଡ଼ କଥା ବୋଲି ପ୍ରକାଶ କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଉପସ୍ଥିତ ଥିଲେ ।
