ପୁରୀ,୨୧/୦୭/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ର ରେଳ ଏବଂ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି. ସୋମାନ୍ନା ପୁରୀ ରେଳ ଷ୍ଟେସନରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ରୂପାନ୍ତରଣ କରାଯାଉଥିବା ପୁନର୍ବିକାଶ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି । ସେ ରେଳ ଭିତିିଭୂମିର ଆଧୁନିକୀକରଣ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଉଲ୍ଲେଖ କରିଛନ୍ତି ଯେ ୨୦୨୫ ରେଳ ବଜେଟରେ ଓଡ଼ିଶାକୁ ୧୦,୫୯୯ କୋଟି ମିଳିଛି, ଯାହା ୨୦୦୯-୧୪ ତୁଳନାରେ ୧୨.୫ ଗୁଣ ବୃଦ୍ଧି । ବର୍ତମାନ ରାଜ୍ୟର ୫୯ ଷ୍ଟେସନକୁ ୨,୩୭୯ କୋଟି ଟଙ୍କା ବ୍ୟୟରେ ପୁନର୍ବିକାଶ କରାଯାଉଛି ଏବଂ ପ୍ରାୟ ୮୦,୦୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଜ୍ୟରେ ଚାଲୁ ରହିଛି ।
ଏହାଛଡ଼ା ସେ କହିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ, ଏହି ଅଂଚଳରେ ରେଳ ଭିତିଭୂମି ଅଭୂତପୂର୍ବ ଅଭିବୃଦ୍ଧି ପାଇଛି ଯେଉଁଥିରେ ନୂତନ ରେଳ ଲାଇନ ନିର୍ମାଣ, ଟ୍ରାକ୍ ଦୋହରୀକରଣ ଏବଂ ଯାତ୍ରୀ ସୁବିଧା ବୃଦ୍ଧିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି – ଯାହା ପୂର୍ବ ବର୍ଷଗୁଡ଼ିକର ଅଗ୍ରଗତିକୁ ବହୁ ପଛରେ ପକାଇଛି । “ବନ୍ଦେ ଭାରତ ଏକ୍ସପ୍ରେସ୍’
ଭଳି ଆଧୁନିକ ଟ୍ରେନର ପ୍ରଚଳନ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି ଯେ ବର୍ତମାନ ଓଡ଼ିଶାର ପ୍ରମୁଖ ଅଂଶକୁ ବନ୍ଦେ ଭାରତ ଏକ୍ସପ୍ରେସ ସଂଯୋଗ କରୁଛି ଏବଂ ଆଂଚଳିକ ସଂଯୋଗୀକରଣ ଏବଂ ବିକାଶକୁ ଆହୁରି ବୃଦ୍ଧି କରୁଛି ।
ରେଳ ରାଷ୍ଟ୍ର ମନ୍ତ୍ରୀ ଆଲୋକପାତ କରିଥିଲେ ଯେ ରୂାନ୍ତରିତ ପୁରୀ ଷ୍ଟେସନରେ ‘ୱାନ୍ ଷ୍ଟେସନ ୱାନ ପ୍ରଡକ୍ଟ’ ଷ୍ଟଲ ଉପଲବ୍ଧ କରାଯାଇ ସ୍ଥାନୀୟ ପ୍ରଡକ୍ଟକୁ ପ୍ରୋତ୍ସାହନ ଦିଆଯିବା ସହ ଏଥିରେ ଉନ୍ନତ ପ୍ରବେଶ, ଆଧୁନିକ ପ୍ରତୀକ୍ଷା ହଲ୍, ଲିଫ୍ଟ/ଏସ୍କେଲେଟର, ଏକଜିକ୍ୟୁଟିଭ୍ ଲାଉଞ୍ଜ, ସ୍ଥାନୀୟ ବୈଶିଷ୍ଟ୍ୟ ଏବଂ କିଓସ୍କ ସମେତ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବ । ଶ୍ରୀ ସୋମନ୍ନାଙ୍କ ସହିତ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ବି.ଏସ୍. ରାଜକୁମାର, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ୍.ଏସ୍. ବାଜୱା ଏବଂ ମୁଖ୍ୟ ପ୍ରଶାସନିକ ଅଧିକାରୀ/ନିର୍ମାଣ ଏ.ଜି. ଶ୍ରୀନିବାସ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାରତୀୟ ରେଳପଥକୁ ରୂପାନ୍ତରଣ କରିବାର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖି ତୀର୍ଥଯାତ୍ରୀ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଯାତ୍ରୀଙ୍କ ପାଇଁ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ଏହି ପୁନର୍ବିକାଶର ଲକ୍ଷ୍ୟ ରଖାଯାଇଛି ।
