ଆଇନ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର ୨୬/୦୨/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିରିଡି ବ୍ଲକ ଅନ୍ତର୍ଗତ ବାରେଡିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ଓ ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁନ୍ମ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ଆଇନ ସେବା ପ୍ରାଧିକରଣର “ଜାଗୃତୀ” ଯୋଜନା ଅନୁଯାଇ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପ୍ରାଧିକରଣ ସଚ଼ିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ସରପଞ୍ଚ, ଏମ୍.ବି.କେ ଓ ଗ୍ରାମବାସିମାନେ ଉପସ୍ଥିତ ଥିଲେ। ସରପଞ୍ଚ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଗରିବ ଓ ନିଷ୍ପେଷିତ ବ୍ୟକ୍ତିଙ୍କୁ ନିଶୁଳ୍କ ଆଇନସେବା ଯୋଗାଇଦେବା ପାଇଁ ୧୯୮୭ ମସିହାରେ ଭାରତ ସରକାର ଜାତୀୟ ଆଇନ ସେବା ପ୍ରାଧିକରଣ ଆଇନକୁ ପ୍ରଣୟନ କରିଥିଲେ। ଏହି ଆଇନ ଅନୁଯାୟୀ ଜାତୀୟ ସ୍ତରରୁ ତାଲୁକ୍ ସ୍ତର ପର୍ଯ୍ୟନ୍ତ ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି ।

ସମସ୍ତ ମହିଳା, ଶିଶୁ, ଅନୁସୂଚିତ ଜାତି ଓ ଜନଜାତି, ବିଚାରଧୀନ ବନ୍ଦୀ,ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ବ୍ୟକ୍ତି, ଏଚ୍.ଆଇ.ଭି ରୋଗି, ପ୍ରାକୃତିକ ବିପର୍ଯ୍ୟୟରେ ପୀଡିତ ବ୍ୟକ୍ତି, ବରିଷ୍ଠ ନାଗରିକ, କିନ୍ନର, ଶିଳ୍ପ ଶ୍ରମିକ, ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଏବଂ ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍ ଥିବା ବ୍ୟକ୍ତିମାନେ  ନିଃଶ୍ଲୁକ ଆଇନ ସେବା ପାଇପାରିବେ । ଏହି ବର୍ଗର ବ୍ୟକ୍ତିମାନଙ୍କୁ ଅଦାଲତରେ ଯେକୌଣସି ମୋକଦ୍ଦମାର ପରିଚାଳନା କରିବା ପାଇଁ ସରକାରଙ୍କ ତରଫରୁ ମାଗଣାରେ ଆଇନଜିବୀ ନିୟୋଜିତ କରାଯାଇଥାଏ । କୌଣସି ମୋକଦମା ଅଦାଲତରେ ପଞ୍ଜିକରଣ ହେବା ପୂର୍ବରୁ ଆପୋଷ ବୁଝାମଣା ମାଧ୍ୟମରେ ମଧ୍ୟ ବିବାଦର ସମାଧାନ ହୋଇଥାଏ । ସେହିପରି ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର ଜରିଆରେ ଅଦାଲତରେ ବିଚାରଧିନ ମାମଲା ଗୁଡିକୁ ତାଲିମ୍ ପ୍ରାପ୍ତ ମଧ୍ୟସ୍ଥିଙ୍କ ମଧ୍ୟସ୍ଥତାରେ ସମାଧାନ ମଧ୍ୟ ହୋଇଥାଏ। ଯେକୌଣସି ଆଇନଗତ ସାହାଯ୍ୟ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣ କିମ୍ବା ଜାତୀୟ ଆଇନ ସେବା ପ୍ରାଧିକରଣର ଦେୟ ମୁକ୍ତ ନମ୍ବର ୧୫୧୦୦ ରେ ଯୋଗାଯୋଗ କରିବାକୁ ସଚ଼ିବ ସଚ଼େତନ କରାଇଥିଲେ।

Leave a Reply

Your email address will not be published. Required fields are marked *