ଗ୍ରୀଷ୍ମ ପ୍ରବାହ ସୁପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ।

ଜଗତସିଂହପୁର, ୨୫/୦୨/୨୦୨୬ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ  ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ  ଜିଲ୍ଲାପାଳ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀମାନେ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଏଲ ନିନୋ ର ପ୍ରଭାବ ରେ ଗ୍ରୀଷ୍ମ ପ୍ରବାହ ଅତ୍ୟନ୍ତ ପ୍ରଖର ହେବ। ବିଭିନ୍ନ କାରଣରୁ ପ୍ରକୃତି ଓ ପରିବେଶ ରେ ଉପଲବ୍ଧ ହେଉଥିବା ଭୌଗୋଳିକ ପରିବର୍ତ୍ତନ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏ ବର୍ଷ ଶୀତ ର ପ୍ରକୋପ ଯେପରି ଅଧିକ ଥିଲା, ଖରା ମଧ୍ୟ ସେହିପରି ଅତ୍ୟଧିକ ହେବାର ଆଶଙ୍କା ରହିଛି।ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗ୍ରାମୀଣ ଜଳ ଓ ପରିମଳ ଡିଭିଜନ ,ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ, ପ୍ରତ୍ୟେକ ବ୍ଲକ୍ ଓ ତହସିଲରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିବ ବୋଲି ସେ କହିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ସି ଏଚ ସି, ପି ଏଚ ସି ରେ ଅତ୍ୟାବଶ୍ୟକ ଫାଷ୍ଟ ଏଡ ବ୍ୟବସ୍ଥା, ପର୍ଯ୍ୟାପ୍ତ ପରିମାଣ ରେ ଓ ଆର  ଏସ, ସାଲାଇନ ମହଜୁଦ ରଖିବା ସହ ହିଟ ଷ୍ଟ୍ରୋକ ରୁମ ରେଡ଼ି ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସମସ୍ତ ଅଚଳ ନଳକୂପର ମରାମତି ସହିତ ପାଇପ ୱାଟର ସପ୍ଲାଏ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଆର ଡବ୍ଲୁ ଏସ ଏସ କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ବ୍ଲକ୍ ପ୍ରଶାସନ, ଜନସ୍ବାସ୍ଥ୍ୟ ବିଭାଗ ଓ ପୌର ପ୍ରଶାସନ ପାନୀୟ ଜଳ ଯୋଗାଣ ପାଇଁ ତତ୍ପର ହେବା ସହ ଅଚଳ ନଳକୂପ ଓ ପାଇପ ଲାଇନ୍ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା, ଅଧିକ ସଂଖ୍ୟକ ଟ୍ୟାଙ୍କର ଯୋଗାଡ଼ କରି ରଖିବା ସହ ଜଳ ସମ୍ପର୍କିତ ଯେଭଳି କୌଣସି ଅଭିଯୋଗ ନ ଆସେ ସେଥି ପ୍ରତି ଧ୍ୟାନ ଦେବାକୁ  ନିର୍ଦ୍ଦେଶ ଦେଇଥିଲେ।ଜଳକ୍ଲୀଷ୍ଟ ଅଂଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇବାକୁ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।  ଲୋକମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନ ଓ କାର୍ଯ୍ୟାଳୟ ମାନଙ୍କରେ ଅଂଶୁଘାତ ସଚେତନତା ସମ୍ପର୍କିତ ବ୍ୟାନର, ହୋର୍ଡିଂ, ପୋଷ୍ଟର ଇତ୍ୟାଦି ଲଗାଯିବା ସାମାଜିକ ଗଣ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିବା, ଲୋକମାନେ ପ୍ରଚଣ୍ଡ ଖରାରେ ଅତି ଆବଶ୍ୟକ ନହେଲେ ବାହାରକୁ ନ ବାହାରିବା, ବାହାରକୁ ବାହାରୁଥିଲେ ପାଣି ବୋତଲ, ଛତା, ଜୋତା, କଳା ଚଷମା ଇତ୍ୟାଦି ବ୍ୟବହାର କରିବା ସମ୍ପର୍କରେ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ।

ବ୍ଳକ୍ , ପୌରାଞ୍ଚଳ, ବିଶେଷ କରି ବସ ଷ୍ଟାଣ୍ଡ, ହାଟ ବଜାର ଆଦି ଜାଗାରେ ଜଳଛତ୍ର ଖୋଲିବା ପାଇଁ ପରାମର୍ଶ ଦେଇଥିଲେ।ଜଳଛତ୍ର ମାନଙ୍କରେ ରଖାଯାଇଥିବା ପାଣିକୁ ବିଶୁଦ୍ଧ ଭାବେ ରଖିବା, ଓ ପରଷିବା କୁ ପରାମର୍ଶ ଦେଇଥିଲେ। ଖରା ରେ ଶ୍ରମିକ ମାନଙ୍କ କାର୍ଯ୍ୟ ସମୟ ନିର୍ଦ୍ଧାରଣ ପାଇଁ ନିଷ୍ପତ୍ତି ନେବାକୁ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ରେ ପାୱାର ସପ୍ଲାଏ ବ୍ୟବସ୍ଥା ଠିକ ଭାବେ ବୁଝିବାକୁ ଟି ପି ସି ଓ ଡି ଏଲ କୁ ନିର୍ଦ୍ଦେଶ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ବୁଲାପ୍ରାଣୀ ମାନଙ୍କ ପାନୀୟ ଜଳ ବ୍ୟବସ୍ଥା ସହ ସମସ୍ତ ପ୍ରାଣୀ ଚିକିତ୍ସାଳୟ ରେ ପାୱାର ସପ୍ଲାଏ ଓ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରାଣୀ ଚିକିତ୍ସ ଅଧିକାରୀ ଙ୍କୁ କହିଥିଲେ।ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ସେବା ଉପଲବ୍ଧ କରାଇ ନିୟମିତ ଭାବେ ଯାଞ୍ଚ କରି ପଦକ୍ଷେପ ନେବା, ବିଭିନ୍ନ ଜନ ଗହଳି ସ୍ଥାନ ମାନଙ୍କରେ ବିଗତ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କର୍ଯ୍ୟକରିବା, ବ୍ଲକ୍, ତହସିଲ ଓ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟ ମାନେ ଅନୁରୂପ ଭାବେ ଭାବେ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ।ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଓ.ଆର.ଏସ ପ୍ୟାକେଟ ସହ ଅଂଶୁଘାତ ଚିକିତ୍ସା କକ୍ଷ ବ୍ୟବସ୍ଥା କରିବା, ବରଫ, ଏସି ରୁମ୍, କୁଲର୍ ବ୍ୟବସ୍ଥା କରିବା, ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ପଶୁମାନଙ୍କ ପାଇଁ ଗାଁ ର ପ୍ରବେଶ ପଥରେ ନଳକୂପ ଥିବା ସ୍ଥାନ ମାନଙ୍କରେ ଜଳ କୁଣ୍ଡର ବ୍ୟବସ୍ଥା କରିବା, ଶ୍ରମିକ ମାନେ କାର୍ଯ୍ୟ କରୁଥିବା ସ୍ଥାନରେ ପାନୀୟ ଜଳ, ଓ.ଆର.ଏସ, ଇତ୍ୟାଦିର ବ୍ୟବସ୍ଥା କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଅଂଶୁଘାତ ଜନିତ ମୃତ୍ୟୁହେଲେ ତହସିଲଦାର ଓ ମେଡିକାଲ ଅଫିସର ଙ୍କ ଦ୍ୱାରା 24 ଘଣ୍ଟା ମଧ୍ୟରେ ଯୁଗ୍ମ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ।ଉକ୍ତ ବୈଠକରେ,  ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , କ୍ଷେତ୍ରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *