ଗ୍ରୀଷ୍ଣ ପ୍ରବାହ ସ୍ଥିତି ଓ ମୁକାବିଲା ସଂପର୍କରେ ଜିଲ୍ଲାପାଳ ଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଜଳ ଉପଲବ୍ଧତା ସମ୍ପର୍କିତ ସୂଚନା ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ

ଗ୍ରୀଷ୍ଣ ପ୍ରବାହ ମୁକାବିଲା ସଂପର୍କିତ  ମାର୍ଗ ଦର୍ଶିକା ପାଳନ ସହ   ସଚେତନତାକୁ ବ୍ୟାପକ କରିବାକୁ ପରାମର୍ଶ

ଭୁବନେଶ୍ୱର,୩୦/୦୩/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ସଂପ୍ରତି ଚଳିତ ଗ୍ରୀଷ୍ମ ଋତୁରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି କିପରି ପ୍ରସ୍ତୁତି କରାଯାଇଛି ଓ ଏହା ଜାରି ରହିଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ।

୨୦୨୫ ପାଇଁ ଗ୍ରୀଷ୍ମ ପ୍ରବାହ ର ପ୍ରସ୍ତୁତି, ପ୍ରଶମନ ଏବଂ ପରିଚାଳନା ସମ୍ପର୍କିତ ଅନୁଷ୍ଠିତ  ଏହି  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓରଂଜନ କୁମାର ସିଂ, ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆ ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ।

ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ  ମାର୍ଚ୍ଚ ୧୮ ତାରିଖ ରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଓ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କିକି ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା। ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସିଂ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ  ସଂପର୍କରେ ସବିଶେଷ ଉପସ୍ଥାପନ କରିଥିଲେ।

ମୁଖ୍ୟ ଶାସନସଚିବ କହିଥିଲେ ଯେ ଗ୍ରୀଷ୍ଣ ମୁକାବିଲା ପାଇଁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ତାହାର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳେ ନିୟମିତ ତଦାରଖ କରନ୍ତୁ । ବିଭିନ୍ନ ଜିଲ୍ଲାରେ ଜଳର ଉପଲବ୍ଧତା ବିଶେଷ କରି ପାନୀୟ ଜଳର ସ୍ଥିତି କିପରି ରହିଛି , ଯେଉଁଠି ପାନୀୟ ଜଳ ସମସ୍ୟା ରହିଛି, ସେଥିପାଇଁ କି କି ପଦକ୍ଷେପ ନିଆଯାଇଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଜିଲ୍ଲା ଓ୍ୱାରୀ ସମୀକ୍ଷା କରିଥିଲେ । ପଂଚାୟତ ସ୍ତରରୁ ନିୟମିତ ସୂଚନା ସଂଗ୍ରହ କରିବାକୁ କୁହାଯାଇଛି । ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ ମାନଙ୍କୁ ପଂଚାୟତ ସ୍ତରରେ ଓ ବ୍ଲକ ସ୍ତରରେ ସ୍ଥିତି ଅନୁଧ୍ୟାନ ଓ ଗ୍ରୀଷ୍ଣ ପ୍ରବାହ ପରିଚାଳନା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଝାରସୁଗୁଡା, ସମ୍ବଲପୁର,ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼ ଆଦି ବିଭିନ୍ନ ଜିଲ୍ଲାରେ ପାନୀୟ ଜଳର ସ୍ଥିତି ଏବଂ ଗ୍ରୀଷ୍ମ ମୁକାବିଲା ପରିଚାଳନା ସଂପର୍କରେ ମୁଖ୍ୟଶାସନ ସଚିବ ପଚାରି ବୁଝିଥିଲେ।

ଗ୍ରୀଷ୍ଣ ପ୍ରବାହ ମୁକାବିଲା ପାଇଁ ରହିଥିବା ମାର୍ଗଦର୍ଶିକା  ବା ଏସଓପି କୁ  କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ଣ ପରିଚାଳନାକୁ ସଫଳତାର ସହିତ ମୁକାବିଲା କରି ଶୂନ ମୃତାହତ ପାଇଁ  ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ଆପାତ କାଳୀନ ଅଧିକାରୀ ମାନେ ଜିଲ୍ଲାର ସ୍ଥିତି ସଂପର୍କରେ ନିୟମିତ ଭାବେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ।

ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ୱର ଆଂଚଳିକ କେନ୍ଦ୍ର ନିର୍ଦ୍ଦେଶିକା ମାର୍ଚ୍ଚ ମାସରେ ପାଣିପାଗ ବିଭାଗ ତରଫରୁ କରାଯାଇଥିବା ଗ୍ରୀଷ୍ଣ ପ୍ରବାହ ସଂପର୍କିତ ଆକଳନ, ପ୍ରକୃତ ଅନୁଭୂତ ଏବଂ ଆଗାମୀ ଅପ୍ରେଲ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଅନୁଭୂତ ହେବାକୁଥିବା ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଗ୍ରୀଷ୍ଣ କାଳୀନ ପାଣିପାଗ ସ୍ଥିତି ସଂପର୍କରେ ସମ୍ଭାବ୍ୟ ସ୍ଥିତି ଉପସ୍ଥାପନ କରିଥିଲେ। ବିଭିନ୍ନ ବିଭାଗ ତରଫରୁ ଜିଲ୍ଲା ମାନଙ୍କୁ ଗ୍ରୀଷ୍ମ ପ୍ରଭାବ ମୁକାବିଲା ସଂପର୍କରେ ଏସଓପି ପଠାଯାଇଛି।

ତେବେ ରାଜ୍ୟ ରିଲିଫ କିମଶନରଙ୍କ ତରଫରୁ ସମସ୍ତ ଏସଓପି କୁ ଏକାଠି କରି  ଏକ ସଂକଳନ ପ୍ରସ୍ତୁତି କରିବା ଏବଂ ଏହା ସମସ୍ତବିଭାଗ ଏବଂ ଜିଳ୍ଲାପାଳ ମାନଙ୍କୁ ପଠାଇବା ସହିତ ଗ୍ରୀଷ୍ଣ ମୁକାବିଲା ସମ୍ପର୍କିତ ସୂଚନା ସରବରାହ ପ୍ରକ୍ରିୟାକୁ ଅଧିକ ସମନ୍ୱିତ ଓ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଗଣମାଧ୍ୟମ ଜରିଆରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ସମନ୍ୱୟରେ ସଂପୃକ୍ତ ବିଭାଗ ମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

-0-

ପଠାଣିରାଉତ,ମୁଖ୍ୟ ଶାସନ ସଚିବ ଙ୍କ ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *