କଟକ, ୨୪/୦୨/୨୦୨୬ (ଓଡ଼ିଶା ସମାଚାର)- ଦିନିକିଆ କଟକ ଜିଲା ଗସ୍ତରେ ଆସି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଟାଙ୍ଗୀ ସ୍ଥିତ ୧୧୦୦ଏକର ପରିମିତ ଅଂଚଳର ପ୍ରମୋଦ ଉଦ୍ୟାନ ପରିଦର୍ଶନ କରି ସେଠାକାର ମୃତିକା ପରୀକ୍ଷଣ ଓ ସଂରକ୍ଷଣ ସହ ନୂତନ କୌଶଳ ପ୍ରୟୋଗ କରାଯାଇ ଉଦ୍ୟାନର ଉନ୍ନତିକରଣ କରାଯିବା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପର୍ଯ୍ୟଟନସ୍ଥଳୀ ଭାବେ ଉଦ୍ୟାନର ସମଗ୍ର ବିକାଶ ସହ ଅଂଚଳର ଆର୍ଥିକ ବିକାଶ ନିମନ୍ତେ ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କ ସହ ବିସ୍ତୁତ ଆଲୋଚନା ହୋଇଥିଲା । ହାତୀ କବଳରୁ କିଭଳି ଭାବେ ଉଦ୍ୟାନର ସୁରକ୍ଷା କରାଯାଇପାରିବ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ ବୈଠକରେ ଆଲୋଚନା କରିଥିଲେ ।
ଏହି ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ପ୍ରମୁଖ ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ସ୍ୱାଗତ ଭାଷଣ ଦେଇଥିଲେ । ମୃତିିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ନିର୍ଦେଶକ ସୁବ୍ରତ ପଣ୍ଡା , ଉଦ୍ୟାନ କୃଷି ନିର୍ଦେଶକ କାଲୁେଙ୍ଗ ଗୋରଖ ୱାମନ୍, କୃଷି ଓ କୃଷକ ସଶକ୍ତୀକରଣ ନିର୍ଦେଶକ ଶୁଭମ ସକସେନାଙ୍କ ଉପସ୍ଥିତିରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଅରିନ୍ଦମ ରାୟ ପ୍ରମୁଖ ଅଂଚଳର ବିକାଶ ସମ୍ପର୍କରେ ମତାମତ ରଖିଥିଲେ । ଅତିରିକ୍ତ ଜିଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଉପମୁଖ୍ୟମନ୍ତ୍ରୀ ପ୍ରଥମେ ବିଶ୍ୱନାହାକାଣିଠାରେ ୧୪.୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩୩/୧୧ କେଭି ବିଶ୍ୱନାହାକାଣୀ ପ୍ରାଥମିକ ସବଷ୍ଟେସନ ଓ ମଙ୍ଗୁଳି ଠାରେ ୧୬.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ କ୍ୟାପେକ୍ସ ଯୋଜନା ଅନ୍ତର୍ଗତ ୩୩/୧୧ କେଭି ମଙ୍ଗୁଳି ପ୍ରାଥମିକ ସବଷ୍ଟେସନର ଶୁଭ ଉଦଘାଟନ କରିଥିଲେ । ଏହି ୨ଟି ସବଷ୍ଟେସନର ସ୍ଥାପନ ଦ୍ୱାରା ଦୀର୍ଘଦିନ ଧରି ରହିଆସୁଥିବା ଲୋ ଭୋଲଟେଜ୍ ବିଦୁ୍ୟତ୍ ସମସ୍ୟାର ସ୍ଥାୟୀ ସମାଧାନ ହେବା ସହ ସ୍ଥାନୀୟ ଲୋକମାନଙ୍କ ପାଇଁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦୁ୍ୟତ୍ ସରବରାହ ସୁନିଶ୍ଚିତ ହେବ । ଏହି ପ୍ରକଳ୍ପ ସ୍ଥାପନ ଦ୍ୱାରା ୧୦ଟି ପଂଚାୟତ ଓ ୪୬ଟି ଗ୍ରାମର ପ୍ରାୟ ୧୮୦୦୦ରୁ ଅଧିକ ଉପଭୋକ୍ତା ଲାଭାନ୍ୱିତ ହେବେ ବୋଲି ଟିପିସିଡିଓଏଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ବୈଠକରେ ସିଇଓ ଅରବିନ୍ଦ ସିଂ , ସିଓଓ ଦୁଶ୍ୟନ୍ତ ତ୍ୟାଗୀ, ପ୍ରକଳ୍ପ ମୁଖ୍ୟ ସୌରଭ ବିଶ୍ୱାସ ଏବଂ ବସନ୍ତ ତରିଆ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
