କଟକ,୨୪/୦୨/୨୦୨୬ (ଓଡ଼ିଶା ସମାଚାର)-ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜଗତପୁରସ୍ଥିତ କୃଷି ଭବନ ଉଦ୍ଘାଟନ କରି ସେଠାରେ ଏକ ସଭାରେ ଯୋଗଦେଇ ଉପସ୍ଥିତ ଚାଷୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି । ରାଜ୍ୟ ସରକାର ଉଦ୍ଯୋଗୀ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଚାଷୀମାନଙ୍କ କୁଶଳତା ଉପରେ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି । ଚାଷ କାର୍ଯ୍ୟ ଓ ଚାଷୀମାନଙ୍କ ସମସ୍ୟାର ସମାଧାନ କରାଯାଇ କୃଷି କ୍ଷେତ୍ରରେ ଓଡ଼ିଶାକୁ ବଳକା ରାଜ୍ୟ ଭାବେ ପରିଗଣିତ କରାଯାଉଛି ବୋଲି ସେ କହିଥିଲେ ।
ଏହି ଅବସରରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉପସ୍ଥିତ ରହି କୃଷି ଭବନ ଉଦ୍ଘାଟନ ପରେ ଜିଲାରେ କୃଷି କ୍ଷେତ୍ରରେ ଉନ୍ନତି ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ବୋଲି କହିଥିଲେ । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ସଭା କାର୍ଯ୍ୟରେ ଅଧ୍ୟକ୍ଷତା କରି ସ୍ୱାଗତ ଜଣାଇବା ସହ କୃଷି ଭବନ ନିର୍ମାଣରେ ଆନୁଷଙ୍ଗିକ ବ୍ୟବସ୍ଥା ନିମନ୍ତେ ପ୍ରାଶାସନିକ ସ୍ତରରେ ସମସ୍ତ କାର୍ଯ୍ୟ ନିର୍ବାହ କରାଯାଇଛି ବୋଲି କହିଥିଲେ ।
ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ, ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ସମେତ କୃଷି ଓ କୃଷକ ସଶକ୍ତୀକରଣ ନିର୍ଦେଶକ, ଶୁଭମ୍ ସକ୍ସେନା ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ନିର୍ଦେଶକ ସୁବ୍ରତ ପଣ୍ଡା, ଉଦ୍ୟାନ କୃଷି ନିର୍ଦେଶକ କାଲୁେଙ୍ଗ ଗୋରଖ ୱାମନ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ । ଜିଲା ମୁଖ୍ୟ କୃଷି ଅଧିକାରୀ କମଳାକାନ୍ତ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ ।
