କଟକ,୨୩/୦୨/୨୦୨୬ (ଓଡ଼ିଶା ସମାଚାର)- ଜିଲା ପ୍ରଶାସନ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ଦ୍ୱାରା ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଂଟନ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି । ନୂଆପଡ଼ା ବାଲିସାହି ସ୍ଥିତ ଗାଦି ଗୋସାଇଁ ପଡ଼ିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ସହାୟତା ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯିବା ସହ ରାଜ୍ୟରେ ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ନିମନ୍ତେ ସରକାରଙ୍କ ପ୍ରାଥମିକତା ସମ୍ପର୍କରେ ଏକ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପ୍ରଗତିରେ ର୍ନିମାଣ ଶ୍ରମିକମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରି ନିର୍ମାଣ ଶ୍ରମିକମାନଙ୍କର ସୁରକ୍ଷା ଓ ଆର୍ଥିକ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ଶ୍ରମିକମାନେ ଏହି ବୋର୍ଡ ମାଧ୍ୟମରେ ସମୟ ସମୟରେ ପଞ୍ଜିକୃତ କରିନେବା ସହ ଆବଶ୍ୟକସ୍ଥଳେ ଶ୍ରମ କାର୍ଡ଼ ନବୀକରଣ କରିବେ ଏବଂ କୌଣସି ହିତାଧିକାରୀ ଯେପରି ବଂଚିତ ନ ହୁଅନ୍ତି ସେଥିପ୍ରତି ଶ୍ରମ ବିଭାଗକୁ ନିର୍ଦେଶ ଦେଇଥିଲେ । ବିଧାୟକ କହିଥିଲେ ଯେ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରି ଉପଯୁକ୍ତ ସହାୟତା ରାଶି ପ୍ରଦାନ କରୁଛନ୍ତି । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଡ. ଦିବ୍ୟଲୋଚନ ମହାନ୍ତି ଯୋଗଦେଇ କହିଥିଲେ ଯେ ରାଜ୍ୟରେ କଟକ ଜିଲାରେ ସର୍ବାଧିକ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି ଏବଂ ସର୍ବାଧିକ ସହାୟତା ରାଶି ପ୍ରଦାନ କରାଯାଇଛି । ସରକାରୀ ଯୋଜନାଗୁଡ଼ିକ କିପରି ଭାବେ ସମସ୍ତଙ୍କ ନିକଟରେ ପହଂଚିପାରିବ ସେ ନେଇ ଜିଲା ପ୍ରଶାସନ ସଦାସର୍ବଦା ଚେଷ୍ଟିତ ଅଛନ୍ତି । ଏହି ଶିବିରରେ ମୁଖ୍ୟଅତିଥି ଶ୍ରମିକଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ ସହ ନିର୍ମାଣ ଶ୍ରମିକ ପରିଚୟ ପତ୍ର ମଧ୍ୟ ପ୍ରଦାନ କରିଥିଲେ ।
ପ୍ରକାଶ ଥାଉ କି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସମଗ୍ର ଜିଲାରେ ୪୦୯୯ ଜଣ ହିତାଧିକାରୀଙ୍କୁ ଏବଂ ୫୦ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଶିକ୍ଷାବୃତିି, ବିବାହ ସହାୟତା, ମୃତୁ୍ୟକାଳୀନ ପ୍ରସୂତି କାଳୀନ ଆଦି ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ଶ୍ରମ ଆୟୁକ୍ତ ହରପି୍ରୟା ନାୟକ ସଭା ପରିଚାଳନା କରିଥିଲେ । ଜିଲା ଶ୍ରମ ଅଧିକାରୀ ପ୍ରୀତିବନ୍ଧନ ଘଡ଼ାଇ, ସହକାରୀ ଶ୍ରମ ଅଧିକାରୀ ମୋନାଲିସା ପାଢ଼ୀଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ସମସ୍ତ ସହଯୋଗ କରିଥିଲେ ।
