ଜଗତସିଂହପୁରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର ୧୪/୧୨/୨୦୨୪ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା  ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା ଅଦାଲତ ଓ ସ୍ଥାନୀୟ ପୌରପରିଷଦସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା  ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ପ୍ରତିହାରୀ ଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଶ୍ରୀ ଶ୍ରୀନିବାସ ପ୍ରତିହାରୀ ଙ୍କ ସହ ପରିବାର ଅଦାଲତ ଜଜ୍ ଶ୍ରୀ ଭଗବାନ ପ୍ରଧାନ, ବିଚାର ବିଭାଗୀୟ ମୁଖ୍ୟ ମାଜିଷ୍ଟ୍ରେଟ ଶ୍ରୀମତୀ ନୀଳିମା ପଣ୍ଡା, ସବ ଜଜ୍ ଶ୍ରୀ ରାକେଶ କୁମାର ମୁଦୁଲି, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ସ୍ଵପ୍ନାଶ୍ରୀ ନାୟକ, ପ୍ରାଧିକରଣର ସଚିବ ବି.ଡି.ଡି ଚନ୍ଦନା, ରେଜିଷ୍ଟ୍ରାର ସିଭିଲ୍ କୋର୍ଟସ୍ ଶ୍ରୀମତୀ ବିଶ୍ଵକଲ୍ପିତା ମହାନ୍ତି, ସବ ଜଜ୍ ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ଏସ୍.ଡି.ଜେ.ଏମ୍ ଶ୍ରୀ ନିରଞ୍ଜନ ଦାସ, ମୁନଶିଫ ଶ୍ରୀମତୀ ଅନନ୍ୟା ଦାସ, ଜେ.ଏମ୍.ଏଫ୍.ସି ସଦକ କାଟଜେ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ । ସେହିପରି କୁଜଙ୍ଗ ତାଲୁକ ଆଇନ ସେବା କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଦୀପ୍ତି ପ୍ରକାଶ ବ୍ରହ୍ମା ଙ୍କ ଅଧକ୍ଷତାରେ କୁଜଙ୍ଗ ଅଦାଲତରେ ଏବଂ ତିର୍ତ୍ତୋଲ ଆଇନ ସେବା କମିଟି ପକ୍ଷରୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ପାରସ ପାଢୀ ଙ୍କ ଅଧ୍ୟକ୍ଷତାରେ ତିର୍ତ୍ତୋଲ ଅଦାଲତରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି I ଦୁର୍ଘଟଣା ଜନ୍ନିତ ମୋକଦ୍ଦମାର ବିଚାର ପାଇଁ ଉଦିଷ୍ଟ ବେଞ୍ଚ ରେ ସ୍ଵେଛାସେବୀ ସୁଷମା ପ୍ରଧାନ, ଆଇନଜୀବୀ ଶ୍ରୀ ପ୍ରମୋଦ କୁମାର ଷଡଙ୍ଗୀ ଏବଂ ବରିଷ୍ଠ ଆଇନଜୀବିମାନେ ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମକଦ୍ଦମା ଯଥା ଫୌଜଦାରି (ସାଲିସ୍ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ  ମାମଲା, ରାଜସ୍ଵ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବୈବାହିକ ବିବାଦ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ମାମଲା ସମ୍ବନ୍ଧିୟ ପ୍ରାକ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଫଇସଲା ହୋଇଛି । ଜିଲ୍ଲାରୁ ମୋଟ ୨୯୪୬ ମାମଲାରୁ ୧୭୧୫ ଟି ସଫଳତାର ସହ ଫଇସଲା ହେବା ସହିତ ୩ କୋଟି ୫୨ ଲକ୍ଷ ୩୨ ହଜାର ୯୫୯ ଟଙ୍କା ଆଦାୟ କରାଯାଇଛି । ସେହିପରି ବ୍ୟାଙ୍କ ଓ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ର ମାମଲା ସମ୍ବନ୍ଧିୟ ପ୍ରାକ ମୋକଦ୍ଦମାରେ ୪୩୯୧ ଟି ମାମଳରୁ  ୮୬ ଟି ସଫଳତାର ସହ ଫଇସଲା ହେବା ସହିତ ୧୧ ଲକ୍ଷ ୨୨ ହଜାର ୯୪୭ ଟଙ୍କା ଋଣ ଆଦାୟ କରାଯାଇଛି । ଜଗତସିଂହପୁର ଜିଲ୍ଲା ଅଦାଲତ ସମେତ କୁଜଙ୍ଗ, ତିର୍ତୋଲ, ରଘୁନାଥପୁର ଏବଂ ଏରସମା ଅଦାଳତରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ଏବଂ ବିଚାରପତିମାନଙ୍କ ଦ୍ଵାରା ମୋକଦ୍ଦମା ଗୁଡିକର ଫଇସଲା କରାଯିବା ସହ ଜୋରିମାନା ଆଦାୟ କରାଯାଇଛି।

Leave a Reply

Your email address will not be published. Required fields are marked *