ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ଭୁବନେଶ୍ୱର, ୧୬/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା ଓ ସାହିତ୍ୟର ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧୋତ୍ସବ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି । ଏହି ଅବସରରେ ଏକ ବିଶେଷ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଛି । କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ଅନୁବାଦକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଯୋଗଦେଇ ତାଙ୍କ ବ୍ୟକ୍ତ୍ୟବରେ ସାରଳା ଦାସଙ୍କୁ ଓଡିଆ ଭାଷା କୋଣାର୍କର ନିର୍ମାତା ଭାବେ ଅଭିହିତ କରି ତାଙ୍କ ସାହିତ୍ୟ-କୃତି ସଂପର୍କରେ ଆଲୋଚନା କରିଥିଲେ । ବରିଷ୍ଠ ଶିକ୍ଷାବିତ୍‌ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରତିଥଯଶା ଗବେଷକ ପ୍ରଫେସର ସୁରେନ୍ଦ୍ର ନାଥ ଦାସ ସାରଳା ଦାସଙ୍କ ଓଡ଼ିଆ ମହାଭାରତ, ବିଲଙ୍କା ରାମାୟଣ ଓ ଚଣ୍ଡୀପୁରାଣ ରଚନା ସଂପର୍କରେ ସୁବିସ୍ତୃତ ଆଲୋଚନା କରିବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତିର ବ୍ୟାପକତା ଓ ଏହାର ସାହିତି୍ୟକ ଓ ସାଂସ୍କୃତିକ ପ୍ରଭାବ ସଂପର୍କରେ ବହୁ ଅନାଲୋଚିତ ତଥ୍ୟ ଉପସ୍ଥାପନା କରିଥିଲେ ।

        ଏହି ଉପଲକ୍ଷେ ବରିଷ୍ଠ ସାହିତି୍ୟକ ପ୍ରଫେସର ବିଜୟାନନ୍ଦ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାଷା ଓ ଭୂମିର ସଂପର୍କରେ ଆଲୋଚନା କରିି ଆଦିକବି ସାରଳା ଦାସଙ୍କ ଓଡ଼ିଆ ଓ ସାହିତ୍ୟକୁ ଅନନ୍ୟ ଅବଦାନ ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଅବତାରଣା କରିଥିଲେ । କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ତାଙ୍କ ସଭାପତିତ୍ୱ ଅଭିଭାଷଣରେ ମାଟିର ମହାକବି ଓ ଆଦିକବି ଭାବେ ପରିଚିତ ଓଡ଼ିଆ ମହାଭାରତର ସାହିତି୍ୟକ ଓ ସାଂସ୍କୃତିକ ବିଭବ ସଂପର୍କରେ ପ୍ରାମାଣିକ ତଥ୍ୟ ଓ ଉଦାହରଣ ଦେବା ସହ ଓଡିଆ ସାହିତ୍ୟର ସ୍ରଷ୍ଟା ଭାବେ ସାରଳା ଦାସଙ୍କ ସାମଗ୍ରିକ ସାହିତ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ ।

        ସହକାରୀ ପ୍ରଫେସର ଡଃ ଆଶିଷ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବାବେଳେ ବିଭାଗୀୟ ମୁଖ୍ୟ ଡଃ ଚକ୍ରଧର ବେହେରା ଧନ୍ୟବାଦ ଦେଇଥିଲେ । ଓଡ଼ିଶୀ କଣ୍ଠ ସଂଙ୍ଗୀତ ବିଭାଗ ପକ୍ଷରୁ ଗୁରୁ ଡଃ ଧୀରଜ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଶାରଳା ବନ୍ଦନା ଗାନ କରାଯାଉଥିବାବେଳେ କୁମାରୀ ଉର୍ମିଳା ପଣ୍ଡା ଓ ଶ୍ରୀମାନ ଅବିନାଶ ରାଉତ ଆଦିକବିଙ୍କ ଜୀବନୀ ସଂପର୍କରେ ସୂଚନାତ୍ମକ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ଡ଼ଃ ଜ୍ଞାନ ରଂଜନ ପଣ୍ଡା ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *