କେନ୍ଦ୍ରାପଡ଼ା,୨୧/୦୨/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଗୁଆଳସିଂ(ଧନିଛକ)ସ୍ଥିତ ବାସଭବନରେ ଅବସରପ୍ରାପ୍ତ ଓଡିଶା ଅର୍ଥସେବା ଅଧିକାରୀ ଶ୍ରୀବତ୍ସ ଜେନାଙ୍କ ପରଲୋକ ହୋଇଯାଇଛି । ମୃତୁ୍ୟ ଶଯ୍ୟା ନିକଟରେ ପୁତ୍ର ପାର୍ଥସାରଥୀ, ସବ୍ୟସାଚୀ, ସିଦ୍ଧାର୍ଥ, ବୋହୁ ମମତା, ଆଲୋକମଞ୍ଜରୀ, ନିହାରିକା, ନାତୁଣୀ ବସୁନ୍ଧରା, ୟଶୋଧାରା, ହିରଣ୍ୟମୟୀ, ଜ୍ୟୋତିର୍ମୟୀ, ନାତି ଅନୁରାଗ ଓ ଅନିମେଷ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଅର୍ବାନବ୍ୟାଙ୍କ ସଭାପତି ଗୁରୁପ୍ରସାଦ ମହାନ୍ତି, ପୌରପରିଷଦର ଅଧିକାଂଶ କାଉନସିଲର, ପୂର୍ବତନ ସରପଂଚ ଜ୍ଞାନରଞ୍ଜନ ମହାନ୍ତି, ମୁକ୍ତାର ଖାଁ, ବହୁ ସରପଂଚ ଓ ସମିତିସଭ୍ୟଙ୍କ ସମେତ ପୂର୍ବତନ କାଉନସିଲର ଶରତ କୁମାର ବେହେରା ପ୍ରମୁଖ ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
୧୯୩୯ମସିହାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ଜେନା ଯାଜପୁର ଜିଲାର ବିଞ୍ଝାରପୁର ଥାନା ଅଧିନ ମୋହନପୁର ବାରିଙ୍ଗିରେ ପିତା ଜୟିରାମ ଜେନା ଓ ମାତା ଉଷା ଦେବୀଙ୍କ ସୁଯୋଗ୍ୟ ସନ୍ତାନ ଥିଲେ । ଓଡିଶା ସରକାରଙ୍କ ଅର୍ଥସେବା ଅଧିକାରୀ ଭାବେ ପ୍ରଥମେ ଯୋଗଦେଇ ଶେଷରେ ଅର୍ଥ ପରାମର୍ଶଦାତା ଭାବେ ୧୯୯୭ ମସିହାରେ ଅବସରଗ୍ରହଣ କରିଥିଲେ । ସେ କଜଳାସ୍ଥିତ ବିଲେଶ୍ୱର ଶିବ ମନ୍ଦିରର ପୁନରୁଦ୍ଧାର କରିଥିଲେ । ଏଥିସହିତ ସେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହ ମଧ୍ୟ ଜଡିତ ଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡାରେ ଶୋକର ଛାୟା ଖେଳିଯାଇଛି । ସେ ଅନେକ ଗୁଡିଏ ପୁସ୍ତକ ରଚନା କରିଥଲେ ।
ତାଙ୍କ ରଚିତ ପୁସ୍ତକ ମଧ୍ୟରେ ତୁଳସୀକ୍ଷେତ୍ର ଗୀତାମୃତ, ପାହାନ୍ତୀ ବିଚାର, ଯୁଗପୁରୁଷ ବୈକୁଣ୍ଠନାଥ, ଖରସ୍ରୋତା ତୀରେ, କାମକଳା, ଗପ କେତେ ଯୁଗର, ହରି ବିଳାପ, ଶ୍ରୀମଦ୍ ଗୁରୁ ଗୀତାମୃତ, ଶ୍ରୀ ବିଳେଶ୍ୱର ସ୍ତବକ ଓ ଯାଜପୁର ଜିଲାରେ ସତତୋପା ସାମନ୍ତ ପ୍ରଭୃତି ବହୁ ମୂଲ୍ୟବାନ ପୁସ୍ତକ ରହିଛି । ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ପାର୍ଥସାରଥୀ ମୁଖାଗ୍ନି ଦେଇଥିଲେ ।
