ନିରାକାରପୁର ରେଳ ଓଭର ବ୍ରିଜ ପାଇଁ ପୁଣି ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ନିରାକାରପୁର, ୧୮/୧୧/୨୦୨୩ (ଓଡ଼ିଶା ସମାଚାର)-   ଓଡ଼ିଶାର ଦକ୍ଷିଣ ପଶ୍ଚିମ ଅଞ୍ଚଳକୁ ପୁରୀ ସହିତ ଅତି କମ ସମୟରେ ସଂଯୋଗ କରିବା ପାଇଁ ସୃଷ୍ଟି ହୋଇଛି ନୂଆ ଜଗନ୍ନାଥ ସଡ଼କ। ବର୍ତ୍ତମାନ ଦୈନନ୍ଦିନ ଏହି ରାସ୍ତା ଦେଇ ହଜାର ହଜାର ସଂଖ୍ୟାରେ ଯାନବାହାନ ପୁରୀକୁ ଯାତାୟାତ କରୁଛି। କିନ୍ତୁ ଏ ସବୁକୁ ବାଧକ ସାଜିଛି   ନୂଆ ଜଗନ୍ନାଥ ସଡ଼କ ଉପରେ ଥିବା ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗେଟ ବଜାର ରେଳ ଫାଟକ। ଫଳରେ ଗୋଟିଏ ଥର ରେଳ ଫାଟକ ପଡ଼ିଲେ ଶହ ଶହ ସଂଖ୍ୟାରେ ଯାନବାହାନ ଗେଟ ର ଉଭୟ ପାର୍ଶ୍ୱରେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଛି। ଯାହା ଦ୍ଵାରା ଯାତ୍ରୀ ହଇରାଣ ହେବା ସହିତ ଜରୁରୀକାଳୀନ ଗାଡି ଗୁଡ଼ିକ ଜାମ ରେ ଫସି ଯାଇ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ତେଣୁ ଏହି ରେଳ ଫାଟକ ଉପରେ ଓଭର ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ପ୍ରୟାସ ଚାଲୁ ଥିବାବେଳେ କିନ୍ତୁ ବାରମ୍ବାର ଅଧରେ ଅଟକୁଛି। ଆଜି ପୁନର୍ବାର ଏହି ବ୍ରିଜ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପିଡବ୍ଲୁଡି ଓ ରାଜସ୍ବ ବିଭାଗ ର ମିଳିତ ଉଦ୍ୟମରେ ପ୍ରଥମ ପର୍ଯ୍ୟାୟରେ ଡାଇଭର୍ସନ ପାଇଁ ଆବଶ୍ୟକୀୟ ଜମି ର ମାପଚୁପ କରି ଚିହ୍ନଟ ପାଇଁ ଦାଗ ଦେଇ ବିଭାଗୀୟ ଅଧିକାରୀ ମାନେ ଫେରିଛନ୍ତି। ପରେ ପୁଣି ଡିସେମ୍ବର ମାସ ୧ ତାରିଖରେ ଆସି ରେଳ ଫାଟକ ଉଭୟ ପାର୍ଶ୍ୱରେ ଥିବା ଜମିର ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଜଣାପଡିଛି। ଆଜିର ଏହି ମାପଚୁପ କାର୍ଯ୍ୟରେ ବିଭାଗୀୟ ଏସ ଡି ଓ , ଜେଇ, ଆର ଆଇ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସମ୍ପୂର୍ଣ ଜମି ଅଧିଗ୍ରହଣ ପରେ ରେଳ ଫାଟକ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *