ପୂର୍ତ୍ତ ବିଭାଗର ପ୍ରକଳ୍ପ ୱାରୀ ଖର୍ଚ୍ଚର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

– ଚାଲୁଥିବା ପ୍ରକଳ୍ପ ଶୀଘ୍ର ଶେଷ ଉପରେ ଗୁରୁତ୍ୱ

– ଅନ୍ୟ ବିଭାଗରୁ ନିର୍ମାଣ ବିଭାଗ ଅଧୀନକୁ ଆସିଥିବା ନୂତନ ରାସ୍ତାର ହେବ ଉନ୍ନୟନ ଏବଂ ସମ୍ପ୍ରସାରଣ

– ଏକାମ୍ର, ସମଲେଇ, ଅବଢ଼ା ସମେତ ବିଭିନ୍ନ ରାସ୍ତା, କୋଠାବାଡି ଓ ସେତୁ ପ୍ରକଳ୍ପ ଉପରେ ଆଲୋଚନା

ଭୁବନେଶ୍ୱର,୧୭/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟର ବିକାଶକୁ ତ୍ୱରିତ ଗତିରେ ଆଗେଇ ନେବାକୁ ହେଲେ ବିଭିନ୍ନ ଭିତ୍ତଭୂମି ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ଏବଂ ନୂତନ ପ୍ରକଳ୍ପ ଲାଗି ଯୋଜନା ପ୍ରସ୍ତୁତ କରିବା ଜରୁରୀ ।  ବିଗତ ବର୍ଷରେ ପୂର୍ତ୍ତ ବିଭାଗ ପ୍ରକଳ୍ପ ଗୁଡିକୁ ନିର୍ଧାରିତ ସମୟ ଅବଧି ମଧ୍ୟରେ ସାରିବା ଏବଂ ବଜେଟ ଅର୍ଥକୁ ସଠିକ ଭାବେ ଖର୍ଚ୍ଚ କରିବା କ୍ଷେତ୍ରରେ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଥିଲା ।   ସେହିଭଳି ଚଳିତ ବର୍ଷ ମଧ୍ୟ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବିଭାଗ ଯେପରି ଭଲ ପ୍ରଦର୍ଶନ କରିବ ସେଥିନେଇ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗର ପ୍ରକଳ୍ପ ୱାରୀ ଖର୍ଚ୍ଚର ସମୀକ୍ଷା କରିଛନ୍ତି ।

ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବା ସହ ରାଜ୍ୟର ପ୍ରମୁଖ ପ୍ରକଳ୍ପ ଗୁଡିକର ଅଗ୍ରଗତି ଓ ବଜେଟର ଖର୍ଚ୍ଚ ସମୀକ୍ଷା କରିବା ସହ ବ୍ୟୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦେଶ ଦେଇଥିଲେ ।  ଏଥି ସହିତ ପ୍ରକଳ୍ପର  ଗୁଣବତ୍ତା ଯାଞ୍ଚ ନେଇ ନିର୍ଦ୍ଦେଶ ଦେବା ସହ ଅନ୍ୟ ବିଭାଗରୁ ନିର୍ମାଣ ବିଭାଗ ଅଧୀନକୁ ଆସିଥିବା ନୂତନ ରାସ୍ତାର ଉନ୍ନୟନ ଏବଂ ସମ୍ପ୍ରସାରଣ, ଏକାମ୍ର, ସମଲେଇ, ଅବଢ଼ା ପ୍ରକଳ୍ପ ସମେତ ବିଭିନ୍ନ ରାସ୍ତା, କୋଠାବାଡି ଓ ସେତୁ ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ଉପରେ  ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

  ଆଜିର ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି ସିଭିଲ ଇଂ ସତ୍ୟବ୍ରତ ବେହେରା, ଇଆଇସି ରୋଡ୍ସ ଇଂ ଧ୍ୟାନଚାନ୍ଦ ନାୟକ, ଅର୍ଥପରାମର୍ଶଦାତା  ରତିକାନ୍ତ ମହାପାତ୍ରଙ୍କ ସମତେ ବିଭାଗୀୟ ଅଧିକାରୀ ଓ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

-0-

ସୁଜିତ ରଞ୍ଜନ ସ୍ୱାଇଁ ,ଲୋକସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *