ଭୁବନ ୧୧/୦୨/୨୦୨୬ (ଓଡ଼ିଶା ସମାଚାର)- ଭୁବନ ସାମ୍ବାଦିକ ସଂଘ ସଭାପତି ତଥା ଦୈନିକ “ଓଡ଼ିଶା ଭାସ୍କର” ର ଭୁବନ ଓ କାଳିଆପାଣି ପ୍ରତିନିଧି ମଧୁପ ରଞ୍ଜନ ନନ୍ଦ ଙ୍କୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ( ଏସ ୟୁ ଜେ ) ଓଡ଼ିଶା ର ଷଷ୍ଠ ବାର୍ଷିକ ଉତ୍ସବ ରେ ଶ୍ରୀମାନ ନନ୍ଦ ଙ୍କୁ ନିର୍ଭୀକ , ନିରପେକ୍ଷ ,ସମସ୍ୟା ଭିତ୍ତିକ ଓ ଗଠନ ମୂଳକ ସମ୍ବାଦ ପରିବେଷଣ ଓ ସମାଜସେବା ନିମନ୍ତେ ଉତ୍ତରୀୟ ,ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏସ ୟୁ ଜେ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ,ସମ୍ମାନିତ ଅତିଥି ଭାବେ ସମବାୟ,ହସ୍ତତନ୍ତ ହସ୍ତଶିଳ୍ପ ଓ ବୟନ ଶିଳ୍ପ ମନ୍ତ୍ରୀ ଡଃ ପ୍ରଦୀପ ବଳ ସାମନ୍ତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ,ଏନ୍ ୟୁ ଜେ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଡଃ ଚିନ୍ତାମଣି ପାଢ଼ୀ ,ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶିଶିର ଭଟ୍ଟ ମିଶ୍ର ଯୋଗଦେଇ ଶ୍ରୀ ନନ୍ଦ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗକୁ ଏଇ ଭଳି କଲମ ଚାଳନା ସହିତ ସମାଜସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଭୁବନ ସାମ୍ବାଦିକ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରୀ ନନ୍ଦ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞପନ କରାଯାଇଛି।
