ଯାଜପୁର, ୧୦/୦୨/୨୦୨୬ (ଓଡ଼ିଶା ସମାଚାର)- ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ରସୁଲପୁର ବ୍ଲକ ଅନ୍ତର୍ଗତ ଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟ କୁଣ୍ଡପାଟଣା ଓ ପଞ୍ଚାୟତ କାର୍ଯ୍ୟାଳୟରେ ଫାଇଲେରିଆ ରୋଗ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୨୦୨୬ ର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଫେବୃଆରୀ ୧୦ ରୁ ୧୯ ତାରିଖ ଯାଏଁ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରସୁଲପୁର ବ୍ଲକର ଜନସାଧାରଣ ଶତ ପ୍ରତିଶତ ଅଂଶଗ୍ରହଣ କରି ଔଷଧ ସେବନ କରିବାକୁ ଜିଲ୍ଲାପାଳ ଶ୍ରୀ କର ଅନୁରୋଧ କରିବା ସହ ଯାଜପୁର ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ଆହ୍ଵାନ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ମିଶ୍ର ଔଷଧ ସେବନର ଉପକାରିତା ସମ୍ପର୍କରେ ଆଲୋକପାତ କରିବା ସହ ଜାତୀୟ କୃମି ନାଶକ ଦିବସ ଉପଲକ୍ଷେ ଔଷଧ ସେବନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଦିଲ୍ଲୀରୁ ଆସିଥିବା ଡ଼ା. ରନପାଲ ସିଂ ଓଡ଼ିଶାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ଅନ୍ୟ ରାଜ୍ୟ ଅନୁସରଣ କରିବା ଉଚିତ ବୋଲି କହିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଉତରାପୁର ସରପଞ୍ଚ ଶ୍ରୀମତୀ ସ୍ଵର୍ଣ୍ଣଲତା ସାହୁ ସ୍ଵାଗତ ଭାଷଣ ଦେଇଥିଲେ। ଏଥିରେ ରସୁଲପୁର ବିଡିଓ, ମଣ୍ଡଳ ଶିକ୍ଷା ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ପଞ୍ଚାୟତର ସଦସ୍ୟ ଓ ସଦସ୍ୟା, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ସ୍ୱେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ଯୋଗ ଦେଇଥିଲେ। ରସୁଲପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।
