ଘଟଗାଁ : ବ୍ଲକ ସ୍ତରୀୟ ଏକତା ପଦଯାତ୍ରା, ଜନସାଧାରଣଙ୍କ ମଧ୍ୟରେ ଏକତା ଓ ଭାଇଚାରାର ସନ୍ଦେଶ

ଘଟଗାଁ, ୧୦/୨/୨୦୨୬ (ଓଡ଼ିଶା ସମାଚାର): ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ଘଟଗାଁ ବ୍ଲକରେ ବ୍ଲକ ସ୍ତରୀୟ ଏକତା ପଦଯାତ୍ରା ଆୟୋଜିତ ହୋଇ ଯାଇଛି। ଦେଶର ଏକତା, ଅଖଣ୍ଡତା ଓ ସାମାଜିକ ସମନ୍ୱୟକୁ ମଜବୁତ କରିବା ଲକ୍ଷ୍ୟରେ ଆୟୋଜିତ ଏହି ପଦଯାତ୍ରା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ସଚେତନତା ସୃଷ୍ଟି କରିଛି।

ଏହି ଏକତା ପଦଯାତ୍ରା ଘଟଗାଁ ବ୍ଲକ ପରିସରରୁ ଆରମ୍ଭ ହୋଇ ଘଟଗାଁ ନୂତନ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ଶ୍ରୀ ଅଖିଳ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ସ୍ମରଣ କରିଥିଲେ। ତାଙ୍କ ଆଦର୍ଶକୁ ଅନୁସରଣ କରି ଆମେ ସମସ୍ତେ ଏକତାର ସୂତ୍ରରେ ବାନ୍ଧି ରହିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ଘଟଗାଁ ବିଡିଓ ଖଗେଶ୍ୱର ବରାଳ ଉପସ୍ଥିତ ରହି ସାମାଜିକ ସମନ୍ୱୟ ଓ ତୃଣମୂଳ ସ୍ତରରେ ଏକତା ସୃଷ୍ଟିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ପ୍ରଶାସନ ଓ ଜନପ୍ରତିନିଧି ଯଦି ଲୋକଙ୍କ ସହ ସିଧାସଳଖ ଭାବେ ଯୋଗାଯୋଗ ରଖନ୍ତି, ତେବେ ସାମାଜିକ ସମସ୍ୟାର ସମାଧାନ ସହଜ ହୋଇପାରିବ।

ପଦଯାତ୍ରାରେ ବହୁ ସଂଖ୍ୟାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, କଲେଜ ଛାତ୍ର-ଛାତ୍ରୀ, ସରକାରୀ କର୍ମଚାରୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ। ମହିଳାମାନେ ଏକତା ଓ ନାରୀ ସଶକ୍ତିକରଣ ସମ୍ପର୍କିତ ସନ୍ଦେଶ ଦେଇ ସମାଜରେ ସକାରାତ୍ମକ ପରିବର୍ତ୍ତନର ଆହ୍ୱାନ ଜଣାଇଥିଲେ। କଲେଜ ଛାତ୍ର-ଛାତ୍ରୀମାନେ ଯୁବପିଢ଼ୀଙ୍କ ଭୂମିକା ଉପରେ ଆଲୋକପାତ କରି ଦେଶର ଭବିଷ୍ୟତ ଗଢ଼ିବାରେ ଏକତା ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ।

ନୂତନ ବସ ଷ୍ଟାଣ୍ଡରେ ପହଁଚି ପଦଯାତ୍ରାର ସମାପନ ହୋଇଥିଲା। ସେଠାରେ ସଂକ୍ଷିପ୍ତ ସଭା ଆୟୋଜିତ ହୋଇ ଲୋକଙ୍କୁ ଶାନ୍ତି, ସହଯୋଗ ଓ ଭାଇଚାରାର ସନ୍ଦେଶ ଦିଆଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ସୁସଂଗଠିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା। ଏହି ବ୍ଲକ ସ୍ତରୀୟ ଏକତା ପଦଯାତ୍ରା ଘଟଗାଁ ଅଞ୍ଚଳରେ ଏକତା, ସମନ୍ୱୟ ଓ ସାମାଜିକ ସଚେତନତାର ଏକ ସକାରାତ୍ମକ ସନ୍ଦେଶ ଛାଡ଼ି ଯାଇଛି।

Leave a Reply

Your email address will not be published. Required fields are marked *