ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ କାର୍ୟ୍ୟକ୍ରମ ର ଶୁଭାରମ୍ଭ

ଜଗତସିଂହପୁର, ୧୦/୦୨/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ କାର୍ୟ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ରାଜେନ୍ଦ୍ର କୁମାର ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ୟ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉପସ୍ଥିତ ଛାତ୍ରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ଏ ଦିଗରେ ସଚେତନ କରିବା ନିମନ୍ତେ ସେ କୃମି ନାଶକ ବଟିକା ଆଲବେଣ୍ଡାଜୋଲ ଖାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ୧ ରୁ ୧୯ ବର୍ଷ ପର୍ୟ୍ୟନ୍ତ ସମସ୍ତ ପିଲାଙ୍କୁ ଏହି ସିରପ ଓ ବଟିକା ସେବନ କରାଇବା ନିମନ୍ତେ ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି ଦିଦି, ଶିକ୍ଷକଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କର ଗୁରୁଦାୟିତ୍ବ ରହିଛି ବୋଲି ସେ କହିଥିଲେ।

ଏହି କାର୍ୟ୍ୟକ୍ରମରେ ଡ଼। ପ୍ରମୋଦ କୁମାର ବାରିକ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଆଜି ଦିବସ ର ମହତ୍ତ୍ୱ ପ୍ରତିପାଦିତ କରିବାକୁ ଯାଇ କହିଲେ ୨୦୧୫ ମସିହା ଠାରୁ ପ୍ରତିବର୍ଷ ପରି ଏହି ବର୍ଷ ଫେବୃଆରୀ ୧୦ ରେ ଜାତୀୟ କୃମି ନାଶକ ଦିବସ ପାଳନ କରାଯାଉଛି। ଯାହାର ଉଦ୍ଦେଶ୍ୟ ହେଉଛି ୧ ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ ଓ କିଶୋର କିଶୋରୀ ତଥା ୨୦ ରୁ ୨୪ ବର୍ଷ ବୟସର ସମସ୍ତ ମହିଳା ଯିଏକି (ଗର୍ଭବତୀ ଓ ପ୍ରସୂତି ହୋଇନଥିବେ) ଙ୍କୁ କୃମି ନାଶକ ବାଟିକାର ସେବନ କରାଇ ଏହି ଅଭିଯାନ କୁ ସଫଳ କରାଇବା।

ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର କୃମି ଦ୍ଵାରା ସଂକ୍ରମିତ ହେଲେ ପୁଷ୍ଟିହୀନତା ,ରକ୍ତହୀନତା, ବଦହଜମୀ, ଶାରୀରିକ ତଥା ମାନସିକ ଅନଗ୍ରସରତା ଦେଖାଯିବା ସହ କାର୍ୟ୍ୟ ଦକ୍ଷତା କମିଯାଏ। ତେଣୁ କୃମି ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ କୃମି ନାଶକ ବଟିକା ସେବନ କରିବା ସାଙ୍ଗେ ପରିଷ୍କାର ପରିଚ୍ଛନ୍ନ ରହିବା, ମଳତ୍ୟାଗ ସମୟରେ ପାଇଖାନା ରେ ଚପଲ ବ୍ୟବହାର, ବିଶୁଦ୍ଧ ପାନୀୟ ଜଳ ସେବନ, ଖାଇବା ପୂର୍ବରୁ ହାତ ସଫା କରିବା, ନଖ କାଟିବା ଆଦି ବିଷୟରେ ଉପସ୍ଥିତ ଅତିଥି ମାନେ ସମସ୍ତଙ୍କୁ ସଚେତନ କାରାଇଥିଲେ। ଡିପିଏମ ସୋନାଲି ପ୍ରିୟଦର୍ଶିନୀ ଏହି ଅଭିଯାନ ମାଧ୍ୟମରେ ଆଜି ଜିଲ୍ଲାର ୧୩୬୯ ସରକାରୀ, ବେସରକାରୀ ବିଦ୍ୟାଳୟ, ୧୭୪୨ ଅଙ୍ଗନବାଡି କେନ୍ଦ୍ରରେ ଆରମ୍ଭ ହୋଇଛି।

ଏହି ସମସ୍ତ ସ୍ଥାନରେ ଆଶା କର୍ମୀ, ଅଙ୍ଗନବାଡି ଦିଦି, ଶିକ୍ଷକଶିକ୍ଷୟିତ୍ରୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପସ୍ଥିତି ରେ ପିଲା ମାନଙ୍କୁ କୃମି ନାଶକ ବଟିକା ଓ ଶିରପ ଆଲବେଣ୍ଡାଜୋଲ ଖାଇବାକୁ ଦିଆଯାଇଛି। ଜିଲ୍ଲାର ୩,୧୨,୦୧୫ ଜଣ ୧ ରୁ ୧୯ ବର୍ଷ ବୟସର ଶିଶୁ ଓ କିଶୋର,୫୪,୭୮୨ ଜଣ ୨୦ ରୁ ୨୪ ବର୍ଷ ବୟସର ପ୍ରସୂତି ବା ଗର୍ଭବତୀ ହୋଇନଥିବା ପ୍ରଜନନକ୍ଷମ ମହିଳା ମାନଙ୍କୁ ଏହି ବଟିକା ଓ ଶିରପ ଦିଆଯିବାର ଲକ୍ଷ୍ୟ ଧାର୍ୟ୍ୟ ରହିଛି । ଜିଲ୍ଲା ସ୍ତରୀୟ ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼। ସନ୍ତୋଷ କୁମାର ବେହେରା, ଡି ଏସ ଡବ୍ଲୁ ଓ, ବିଷ୍ଣୁ ପ୍ରିୟା ସେଠୀ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ବାସନ୍ତୀ ପାଲି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତୀଚୀ ତନୟା ମହାନ୍ତି, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଡେପୁଟୀ ମ୍ୟାନେଜର ସନ୍ଧ୍ୟାରାଣି ପଣ୍ଡା ଓ ବିଦ୍ୟାଳୟ ର ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଗଣ ଉପସ୍ଥିତ ଥିଲେ । ବିଦ୍ୟାଳୟ ସ୍ତରୀୟ କାର୍ୟ୍ୟକ୍ରମ ରେ ମହିଳା ସ୍ୱାସ୍ଥ୍ୟ କର୍ମୀ ,ସହରାଞ୍ଚଳ ର ଆଶା, ଆଦି ଉପସ୍ଥିତ ଥିଲେ। ଡେପୁଟି ମ୍ୟାନେଜର ସନ୍ଧ୍ୟା ରାଣୀ ପଣ୍ଡା କାର୍ୟ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *