ସାହିତ୍ୟ ଅନୁବାଦ ହେଲେ ଆଂଚଳିକ ସ୍ତରରୁ ଆନ୍ତର୍ଜାତୀୟ ସ୍ତରରେ ପହଂଚିବ
କେନ୍ଦ୍ରାପଡ଼ା, ୦୭/୦୨/୨୦୨୬ (ଓଡ଼ିଶା ସମାଚାର)- ଆଂଚଳିକ ଭାଷାରେ ପ୍ରକାଶ ପାଉଥିବା ସାହିତ୍ୟ ଅନୁବାଦ ହେବାର ଆବଶ୍ୟକତା ରହିଛି । ଏହାକୁ ଇଂରାଜୀ ଭାଷାରେ ଅନୁବାଦ କଲେ ତାହା ଆଂଚଳିକ ସ୍ତରରୁ ଆନ୍ତର୍ଜାତୀୟ ସ୍ତରରେ ପହଂଚି ପାରିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଇଂରାଜୀ ବିଭାଗ ପକ୍ଷରୁ ଆୟୋଜିତ ଜାତୀୟ ସମ୍ପାନ “ ଭୋକାଲ ଫର ଲୋକାଲ”ରେ ଯୋଗଦେଇ ଇଂରାଜୀ ଭାଷା ବିଶେଷଜ୍ଞମାନେ ଏହା କହିିଛନ୍ତି । ସେମାନେ ମତ ଦେଇଛନ୍ତି ଯେ ଆଂଚଳିକ ଭାଷା ସାହିତ୍ୟ ଇଂରାଜୀରେ ଅନୁବାଦ ହେଲେ ତାହା ବିଭିନ୍ନ ଦେଶର ଲୋକମାନଙ୍କୁ ଆକୃଷ୍ଟ କରିପାରିବ । ଏହାଦ୍ୱାରା ଭାଷା ସାହିତ୍ୟର ଆଦାନ ପ୍ରଦାନ ହେବା ସହ ସଂସ୍କୃତି ଓ ଐତିହ୍ୟର ଆଦାନ ପ୍ରଦାନ ହୋଇପାରିବ ।
ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଡ. ପୂର୍ବାଶା ପ୍ରିୟଦର୍ଶିନୀଙ୍କ ସଭାପତିତ୍ୱତରେ ଅନୁଷ୍ଠିତ ଏହି ସମ୍ପାନକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଓଡିଆ ନାଟ୍ୟକାର ତଥା ବରଗଡ ପଂଚାୟତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବିଷୟ ବିଶାରଦ ଭାବେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସଦସ୍ୟ ଡ. ସଚ୍ଚିଦାନନ୍ଦ ମହାନ୍ତି ଯୋଗଦେଇ ବକ୍ତବ୍ୟ ରଖିଥିଲେ
। ବିଭାଗୀୟ ମୁଖ୍ୟ ଡ. ପୂର୍ବାଶା ପ୍ରିୟଦର୍ଶିନୀ ବିଷୟବସ୍ତୁ ଉପରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଭ୍ୟନ୍ତରୀୟ ଗୁଣବତା କମିଟି ସଂଯୋଜିକା ଅଧ୍ୟାପିକା ଡ. ଦିପ୍ତୀ ରାୟ, ୟୁଜିସି ସଂଯୋଜକ ଅଧ୍ୟାପକ ଡ. ଦେବକାନ୍ତ ଷଡଙ୍ଗୀ, ରୁଷା ଓ ଆଇଡିପି ସଂଯୋଜକ ଅଧ୍ୟାପକ ରଞ୍ଜିତ କୁମାର ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ବିଭାଗୀୟ ଅଧ୍ୟାପକ ଅଚୁ୍ୟତାନନ୍ଦ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଭାଗର ସ୍ମରଣିକା “ଭୋକାଲ ଫର ଲୋକାଲ” ଉନ୍ମୋଚିତ ହୋଇଥିଲା ।
ଅପରାହ୍ନରେ ରାଜନଗର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମେଜର ମନୋରଞ୍ଜନ ମହାନ୍ତି ଓ ନୂଆଦିଲ୍ଲୀ ସ୍ଥିତ ଜାମିଆ ମିଲିଆ ଇସଲାମିଆର ପ୍ରଫେସର ଡ. ସରୋଜ ମହାନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ଦ୍ୱିତୀୟ ଓ ବୈଷୟିକ ଅଧିବେଶନରେ ମୁଖ୍ୟବକ୍ତା ଭାବେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଯୋଗଦେଇ କହିଲେ ଶାରଳା ସାହିତ୍ୟ, ମହାଭାରତ ଭଳି ଧର୍ମଗ୍ରନ୍ଥର ଅନୁବାଦ ହୋଇଥିବାରୁ ତାହା ଆଜି ବିଶ୍ୱ ଦରବାରରେ ପରିଚିତ ପାଇଛି । ବିଷୟ ବିଶାରଦ ଡ. ସଚ୍ଚିଦାନନ୍ଦ ମହାନ୍ତି ତାଙ୍କ ଅଭିଭାଷଣରେ କହିଲେ ଅନୁବାଦ ସାହିତ୍ୟ କେବଳ ଯେ ଏକ ସଂସ୍କୃତିର ବାର୍ତାବହ ତାହା ନୁହେଁ ଏହା ବିଭିନ୍ନ ସଂସ୍କୃତି ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାରେ ଏକ ସେତୁ ଭଳି କାମ କରେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ହିରନମୟୀ ସାମଲ, ସୁଶ୍ରୀ ସୁଜାତା ଷଡଙ୍ଗୀ, ଭଦ୍ରକ ମହାବିଦ୍ୟାଳୟ ଅଧ୍ୟାପିକା ଡ. ପ୍ରଭାମୟୀ ସାମନ୍ତରାୟ, ପ୍ରିୟାଂଶୁଶେଖର ରାଉତରାୟଙ୍କ ସମେତ ରାଜ୍ୟ ତଥ୍ୟା ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଅଧ୍ୟାପକ, ଅଧ୍ୟାପିକା, ରିସର୍ଚସ୍କଲାର ଓ ଛାତ୍ରଛାତ୍ରୀମାନେ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନ କରିଥିଲେ ।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ପ୍ରଫେସର ଡ. ରାମଚନ୍ଦ୍ର ବେହେରା, ପ୍ରାକ୍ତନ ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ତପନ କୁମାର ପତି ପ୍ରମୁଖ ବହୁ ବିଶିଷ୍ଟ ଶିକ୍ଷାବୀତମାନେ ଉପସ୍ଥିତ ଥିଲେ । ଅଧ୍ୟାପିକା ଲିଜାଶ୍ରୀ ପ୍ରିୟଦର୍ଶିନୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
