ଗୋଟିଏ କାର,୫ବାଇକ୍ ସହିତ ଲକ୍ଷାଧିକ ଟଙ୍କାର ଆସବାସ ପୋଡି ନଷ୍ଟ ।
ଗରଦପୁର ୦୭/୦୨/୨୦୨୬ (ଓଡ଼ିଶା ସମାଚାର)- ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥାର ଅଫିସ୍ ଘର ଓ ଗୋଦାମ ଗୃହରେ ବିଦ୍ୟୁତ୍ ସଟଫ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ପ୍ରକାଶ ଯେ, ଚିତ୍ରୋତ୍ପଳା ନଦୀ ଉପରେ ପିକରାଳି-ବିଚଣା ସେତୁ ନିର୍ମାଣ ଅଷ୍ଟଲକ୍ଷ୍ମୀ କନଷ୍ଟ୍ରକସନ୍ କମ୍ପାନୀ କାର୍ଯ୍ୟ କରୁଥିଲା । କମ୍ପାନୀର କ୍ୟାମ୍ପ ଘର ସହିତ ଅଫିସ୍ ଓ ଷ୍ଟୋର ଘର ଚିତ୍ରୋତ୍ପଳା ନଦୀବନ୍ଧ ପାଶ୍ୱର୍ ବିଚଣା ନିକଟସ୍ଥ ଦେଉଳିଆ ମଠ ନିକଟରେ ଥିଲା ।

ଏହି କ୍ୟାମ୍ପ ଘରେ କର୍ମଚାରୀମାନେ ରହିବା, କମ୍ପାନୀର ଅଫିସ୍ କାର୍ଯ୍ୟ କରାଯିବା ସହିତ ସେତୁ ନିର୍ମାଣ ସମ୍ପର୍କିତ ସରଞ୍ଜାମ ଗୁଡ଼ିକ ଷ୍ଟୋର ଘରେ ଗଛିତ ରଖାଯାଇଥିଲା । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା୪୫ମିନିଟରେ ହଠାତ୍ ସଟ୍ ସର୍କିଟ ଯୋଗୁଁ କମ୍ପାନୀର କ୍ୟାମ୍ପ ଘରେ ଅଗ୍ନିକାଣ୍ଡ ଘଟିଥିଲା । କର୍ମଚାରୀମାନେ ସେତୁରେ କାର୍ଯ୍ୟ କରିବାରେ ବ୍ୟସ୍ତ ରହିଥିବାବେଳେ, ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତି କରାଯାଉଥିଲା । ମାତ୍ର ଅଗ୍ନିକାଣ୍ଡ ଘଟିବାରୁ କ୍ୟାମ୍ପ ଚାଲୁଥିବା ଚାଳ ଘର ଜଳି ଉଠିଥିଲା । ଅଗ୍ନିକାଣ୍ଡରେ ଷ୍ଟୋର ଘରେ ଗଛିତ ରଖାଯାଇ ଥିବା ଗାଡିର ଷ୍ଟେଫିନ୍,ଲିକୁ୍ୟଡି ଡ୍ରମ୍ ଗୁଡିକରେ ନିଆଁ ଲାଗିବାରୁ ନିଆଁ ଦୃତ ଭାବରେ ଜଳିଥିଲା । ଏହି ଅଗ୍ନିକାଣ୍ଡରେ କ୍ୟାମ୍ପ ଘର ପାଶ୍ୱର୍ରେ ଥିବା ଏକ କାର,୫ଗୋଟି ବାଇକ୍,ଅଫିସ୍ କାର୍ଯ୍ୟ ଚାଲିଥିବା ଆଲମାରି,ସିମେଂଟ ଟେଷ୍ଟ ମେସିନ୍,କ୍ୟୁ-ଟେଷ୍ଟ୍ ମେସିନ୍ ଓ ସେତୁ ନିର୍ମାଣରେ ବ୍ୟବହୃତ ହେଉଥିବା ବୋରିଂ ଆଦି ସେତୁ ନିର୍ମାଣ ପାଇଁ ଥିବା ବିଭିନ୍ନ ଯନ୍ତ୍ରାଂଶ ପୋଡି ନଷ୍ଟ ହୋଇଯାଇଛି ।
ଅଗ୍ନିକାଣ୍ଡରେ ରୋଷେଇ ହେଉଥିବା ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିବାରୁ ନିଆଁ ଆହୁରି ଦୃତ ଭାବରେ ପ୍ରଜ୍ଜ୍ୱଳିତ ହୋଇଥିଲା । କ୍ୟାମ୍ପ ଅଫିସ୍ ଘରେ ଥିବା ବିଭିନ୍ନ କାଗଜପତ୍ର ଓ ନଗଦ ଟଙ୍କା ପୋଡି ଯାଇଥିବା ଠିକା କମ୍ପାନୀର କର୍ମଚାରୀମାନେ ପ୍ରକାଶ କରିଛନ୍ତି । ଖବରପାଇ ଗରଦପୁର ଓ ମାର୍ଶାଘାଇ ରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଥିଲେ । ସେତେବେଳକୁ କ୍ୟାମ୍ପ ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ସାରିଥିଲା । ନିଆଁର ପ୍ରଖର ଏପରି ଥିଲା ଯେ ଲୋକମାନେ କ୍ୟାମ୍ପ ଅଫିସ୍ ନିକଟକୁ ଯାଇ ପାରି ନ ଥିଲେ । ଖବରପାଇ ପାଟକୁରା ଥାନା ଅଧିକାରୀ ମହମ୍ମଦ ଜାମସେଦ୍ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି ।
