ଫାଇଲେରିଆ ନିରାକରଣ ପାଇଁ ରାଜ୍ୟସ୍ତରୀୟ ଗଣମାଧ୍ୟମ ସଚେତନତା କାର୍ଯ୍ୟକ୍ରମ

ଫେବୃଆରୀ ୧୦ରୁ ୫ ଟି ଜିଲ୍ଲାର ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ଭୁବନେଶ୍ୱର,୦୬/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମ୍‌ଡିଏ) ୧୦ ଫେବୃଆରୀ (ମଙ୍ଗଳବାର) ଠାରୁ ଆରମ୍ଭ ହେବ । ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ୭.୪୦ ଲକ୍ଷ ଜଣଙ୍କୁ ଫାଇଲେରିଆ ନିରୋଧୀ ଔଷଧ ଦିଆଯିବ । କାର୍ଯ୍ୟସୂଚୀ ଅନୁଯାୟୀ, ବଲାଙ୍ଗିର , ବରଗଡ , ଢେଙ୍କାନାଳ , ଯାଜପୁର , ଗଞ୍ଜାମ ଜିଲାର ୧୦ରୁ ୧୯ ତାରିଖ ମଧ୍ୟରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସହିତ ଜାତୀୟ କୃମିନାଶକ ଦିବସ(ଏନ୍‌ଡିଡି) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଫାଇଲେରିଆ ନିରାକରଣ ପାଇଁ ଏହି ୫ ଟି ଜିଲ୍ଲାର ୭ ଟି ଇମ୍ପ୍ଲିମେଣ୍ଟେସନ୍ ୟୁନିଟ୍ (ବ୍ଲକ୍/ସହରାଞ୍ଚଳ)ରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅଧୀନରେ ୩ଟି ଔଷଧ ଯଥା – ଡିଇସି, ଆଲବେଣ୍ଡାଜୋଲ ଓ ଆଇଭରମେକ୍ଟିନ ବଟିକା ଖାଇବାକୁ ଦିଆଯିବ । ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥଙ୍କୁ ଏହି ଔଷଧକୁ ଖାଇବାକୁ ବାରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୨୨୦୦ ଡ୍ରଗ ଆଡ୍‌ମିନିଷ୍ଟ୍ରେଟର ନିୟୋଜିତ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୨୧୦ ଜଣ ପର୍ଯ୍ୟବେକ୍ଷକ ରହିଛନ୍ତି ବୋଲି ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

                 ଡ୍ରଗ୍ ଆଡମିନିଷ୍ଟ୍ରେଟର ପ୍ରତ୍ୟେକ ଘରକୁ ଘର ଯାଇ ଏମ୍‌ଡିଏ ଔଷଧ ସେବନ କରାଇବେ । ସମସ୍ତଙ୍କୁ ଔଷଧ ଖୁଆଇବା ପାଇଁ ବିଭିନ୍ନ ବିଭାଗ ଭିତରେ ସମନ୍ଵୟ, ସହଯୋଗ, ସମର୍ଥନ ନିହାତି ଆବଶ୍ୟକ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା । ସମ୍ମିଳନୀରେ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ ଜିତେନ୍ଦ୍ର ମୋହନ ବେବର୍ତା , ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ପ୍ରଦୀପ କୁମାର ଗୁରୁ ,  ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର , ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପ୍ରତିଷ୍ଠାନର ଅତିରିକ୍ତ ନିର୍ଦ୍ଦେଶକ ଡା. କିରଣ କୁମାର ରଥ , ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ଶକ୍ତି ପ୍ରକାଶ ମିଶ୍ର , ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡା. ନିଲମ ସୋମାଲକର, ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରଭାକର ସାହୁଙ୍କ ସହିତ ବିଭାଗୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଏମ୍‌ଡିଏ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ, ବିଦ୍ୟାଳୟ ଏବଂ ଗଣଶିକ୍ଷା, ଉଚ୍ଚଶିକ୍ଷା, ମିଶନ ଶକ୍ତି, ମହିଳା ଏବଂ ଶିଶୁ ବିକାଶ, ଶିଳ୍ପ, ଇସ୍ପାତ ଏବଂ ଖଣି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ,ନଗର ଉନ୍ନୟନ ଇତ୍ୟାଦି ବିଭାଗକୁ ଅନୁରୋଧ କରାଯାଇଥିବା ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *