ନନ୍ଦକିଶୋର ପଟ୍ଟନାୟକ ସ୍ମାରକୀ ମହିଳା ଫୁଟବଲ ଟୁର୍ଣ୍ଣାମେଂଟ

ସ୍ପୋର୍ଟସ୍ ହଷ୍ଟେଲକୁ ହରାଇ ତାରିଣୀ କ୍ଲବ ବିଜୟୀ
ଭୁବନେଶ୍ୱର,୨୬/୧୦/୨୦୨୫ (ଓଡ଼ିଶା ସମାଚାର)- ସିଟି କ୍ଲବ, ନୟାପଲ୍ଲୀ ଭୁବନେଶ୍ୱର ଆନୁକୂଲ୍ୟରେ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ସହଯୋଗରେ ଭୁବନେଶ୍ୱର ଫୁଟବଲ ଏକାଡ଼େମୀ ପଡ଼ିଆରେ ଚାଲିଥିବା ତୃତୀୟ ନନ୍ଦକିଶୋର ପଟ୍ଟନାୟକ ସ୍ମାରକୀ ମହିଳା ଫୁଟବଲ ଟୁର୍ଣ୍ଣାମେଂଟ ରବିବାର ଦ୍ୱିତୀୟ ଦିବସ ମ୍ୟାଚ୍ ରେ ସ୍ପୋର୍ଟସ୍ ହଷ୍ଟେଲ ଭୁବନେଶ୍ୱର ଏବଂ ତାରିଣୀ କ୍ଲବ, କେନ୍ଦୁଝର ମଧ୍ୟରେ ମୁକାବିଲା ହୋଇଥିଲା । ଏହି ମ୍ୟାଚ୍ରେ ତାରିଣୀ କ୍ଲବ ୫-୪ ଗୋଲ୍ ରେ ସ୍ପୋର୍ଟସ୍ ହଷ୍ଟେଲକୁ ପରାସ୍ତ କରିଥିଲା ।

ତାରିଣୀ କ୍ଲବର ୫ଜଣ ଖେଳାଳି ଗୋଟିଏ ଲେଖାଏଁ ଗୋଲ ଦେଇଥିବା ବେଳେ ସ୍ପୋର୍ଟସ ହଷ୍ଟେଲର ୪ଜଣ ଖେଳାଳି ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଉକ୍ତ ମ୍ୟାଚ୍ରେ ତାରିଣୀ କ୍ଲବର ରାଣୀ ବାଗଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଥିଲା । ଶେଖାବତ ଅଲ୍ଲୀ ଖାନ, ସୁଜିତ କୁମାର ପାତ୍ର, ଶିବ ପ୍ରସାଦ ସାମନ୍ତରାୟ ଏବଂ ଶୋଭାଲିନ ପଣ୍ଡା ମ୍ୟାଚ୍ ପରିଚାଳନା କରିଥିବା ବେଳେ ଶ୍ରୀ ଶିବଶଙ୍କର ପଣ୍ଡା ମ୍ୟାଚ୍ କମିଶନର ଥିଲେ ।

ଏହି ମ୍ୟାଚ୍ ରେ ଓଡ଼ିଶାର ପୂର୍ବତନ ଆନ୍ତର୍ଜାତୀୟ ଫୁଟବଲ ଖେଳାଳି ରଞ୍ଜିତା ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ତାଙ୍କ ସହିତ ଗୀତାଞ୍ଜଳି ଖୁଂଟିଆ, ଗାୟତ୍ରୀ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ । ଶେଷର ରଞ୍ଜିତା ମହାନ୍ତି ପ୍ଲେୟାର ଅଫ୍ ଦି ମ୍ୟାଚ୍ ଙ୍କୁ ପୁରସ୍କୃତ କରିଥିବା ବେଳେ ସିଟି କ୍ଲବର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ରନାଥ ନାୟକ, ବନୋଜ କୁମାର ପ୍ରଧାନ, ତିଳୋତମା ଦଳେଇ, ଦୀପକ କୁମାର ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ । ରାଜ୍ୟ କ୍ରୀଡ଼ା ବିଭାଗ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *