କେନ୍ଦ୍ରାପଡାରୁ କଟକ-ଭୁବନେଶ୍ୱର ରେଳ ଚଳାଚଳ ଦାବି
କେନ୍ଦ୍ରାପଡ଼ା,୦୪/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଷ୍ଟେସନରୁ କଟକ ଓ ଭୁବନେଶ୍ୱରକୁ କୌଣସି ରେଳସେବା ନାହିଁ । କେବଳ ସକାଳ ୬ଟାରେ ପାରାଦୀପରୁ ଆସି କେନ୍ଦ୍ରାପଡ଼ା ଦେଇ କେନ୍ଦୁଝରକୁ ଯାଉଥିବା ଏକମାତ୍ର ରେଳ ଗଡୁଛି । ବାକି ସମୟରେ କୌଣସି ଯାତ୍ରୀବାହୀ ରେଳ ସେବା ନାହିଁ । ତେଣୁ ଷ୍ଟେସନରେ କୁକୁର ଶୋଉଛନ୍ତି । କେନ୍ଦ୍ରାପଡ଼ା ଦେଇ ଦୈନିକ ୫୦ରୁ ଅଧିକ ମାଲବାହୀ ଟ୍ରେନ୍ ଗଡୁଛି । ହେଲେ ଯାତ୍ରୀବାହୀ ଟ୍ରେନ ଗଡୁନାହିଁ । କଟକ ଓ ଭୁବନେଶ୍ୱରକୁ ଲୋକଙ୍କ ପ୍ରତିଦିନ ଯିବା ଆସିବା କରିବାର ଆବଶ୍ୟକତା ରହିଛି ।
କଟକ ଭୁବନେଶ୍ୱରକୁ ବସରେ ଗଲେ ଲୋକେ ଅଧିକ ଟଙ୍କା ଦେଉଛନ୍ତି । କିନ୍ତୁ କେନ୍ଦ୍ରାପଡ଼ାରୁ କଟକ, ଭୁବନେଶ୍ୱର ଓ ପୁରୀକୁ ଟ୍ରେନ୍ ରେ ଗଲେ ଅଳ୍ପ ଅର୍ଥ ଦେବାକୁ ପଡିବ ବୋଲି ସହରର ବୁଦ୍ଧିଜୀବୀମାନେ କହିଛନ୍ତି । ସହରର ବୁଦ୍ଧିଜୀବୀ ସମୀର ଚାନ୍ଦ କହିଛନ୍ତି ସେ କୌଣସି କାର୍ଯ୍ୟରେ ଷ୍ଟେସନ ଯାଇଥିଲେ । ହେଲେ ଷ୍ଟେସନରେ କୌଣସି ଯାତ୍ରୀ ନଥିଲେ । ଫଳରେ କେତେକ କୁକୁର ଷ୍ଟେସନରେ ଶୋଇଥିଲେ । ଏ ନେଇ ସେ ଷ୍ଟେସନ ମାଷ୍ଟରଙ୍କୁ ନିବେଦନ କରିଥିଲେ କେନ୍ଦ୍ରାପଡ଼ାରୁ କଟକ ଓ ଭୁବନେଶ୍ୱର ଏବଂ ପୁରୀକୁ ଟ୍ରେନ୍ ଚଳାଚଳ କରିବା ପାଇଁ ସରକାରଙ୍କୁ ନିବେଦନ କରିବାକୁ । ହେଲେ ଷ୍ଟେସନ ମାଷ୍ଟର କହିଥିଲେ ଏ ନେଇ ସରକାର ଯାହା ପ୍ରାବଧାନ କରିବେ । ଏଠାରୁ ଟ୍ରେନ୍ ଚଳାଚଳ କରିବା ନେଇ ପ୍ରାବଧାନ କରିବା ତାଙ୍କ କ୍ଷମତା ପରିସର ବାହାରେ ।
ସେହିପରି ଅନ୍ୟ ଜଣେ ବୁଦ୍ଧିଜୀବୀ ଭଜନସମ୍ରାଟ ସ୍ୱର୍ଗୀୟ ଭିକାରୀ ବଳଙ୍କ ସୁପୁତ୍ର ଅମୀୟ ବଳ କହିଛନ୍ତି ଏହି ଷ୍ଟେସନରୁ ବିଶେଷ ଯାତ୍ରୀବାହୀ ଟ୍ରେନ୍ ଗଡୁ ନଥିବାରୁ ଷ୍ଟେସନ ଥାଇ ଯାହା ନଥାଇ ତାହା ଭଳି ଅନୁଭବ ହେଉଛି । କାରଣ କେନ୍ଦ୍ରାପଡ଼ା ଲୋକଙ୍କ ବିଶେଷ କାମ କଟକ ଭୁବନେଶ୍ୱରରେ ରହୁଛି । ସେହିପରି କେନ୍ଦ୍ରାପଡ଼ାରୁ ଅଧିକ ଭକ୍ତ ପୁରୀ ଯିବା ପାଇଁ ଇଚ୍ଛୁକ । ମା’ ତାରିଣୀଙ୍କ ଲୋକେ ଏଠାରୁ ଯାଉଛନ୍ତି ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ପୁରୀକୁ ଭକ୍ତ ଯିବା ଆସିବା କରିବା ପାଇଁ ଟ୍ରେନ୍ ଗଡିବା ନିହାତି ଆବଶ୍ୟକ । କଟକରେ ହାଇକୋର୍ଟ ରହିଛି । ବିଭିନ୍ନ ମାଲି ମକଦ୍ଧମାରେ ଲୋକେ କଟକ ଯାଉଛନ୍ତି । ହେଲେ ବସରେ ଅଧିକ ଭଡ଼ା ଦେବାକୁ ପଡୁଛି । କିନ୍ତୁ ଟ୍ରେନ୍ ରେ ସେହି ଭଡା ଅଧାରୁ କମ ହେବ । ସେହିପରି ଭୁବନେଶ୍ୱରକୁ ମଧ୍ୟ ବହୁ ଲୋକଙ୍କ ଯିବା ଆସିବା କରିବାର ଆବଶ୍ୟକତା ରହୁଛି । ତେଣୁ ଭୁବନେଶ୍ୱରକୁ ମଧ୍ୟ ଟ୍ରେନ୍ ଗଡିବାର ଆବଶ୍ୟକତା ରହିଛି । ହେଲେ କେନ୍ଦ୍ରାପଡ଼ା ଷ୍ଟେସନରୁ ସେହି ସୁବିଧା ନ ଥିବାରୁ ଯାତ୍ରୀମାନେ ହଇରାଣ ହରକତ ହେଉଛନ୍ତି । ଏ ନେଇ ଉଭୟ ବୁଦ୍ଧିଜୀବୀ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଘଟଣାକୁ ନେଇ ଆଗାମୀ ଦିନରେ କେନ୍ଦ୍ରାପଡାବାସୀ ଆନ୍ଦୋଳନ କରିବେ ବୋଲି କେତେକ ବୁଦ୍ଧିଜୀବୀ କହିଛନ୍ତି ।
