ଯାଜପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୨୨୦ ଟି ଅଭିଯୋଗ ପଞ୍ଜୀକୃତ, ୮୪ ଟିର ତୁରନ୍ତ ସମାଧାନ

ଯାଜପୁର,୦୩/୧୧/୨୦୨୬(ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ସଦର ମହକୁମାସ୍ଥିତ ଡି.ଆର.ଡି.ଏ. କନଫରେନ୍ସ ହଲ୍‌ଠାରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅମ୍ବର କୁମାର କରଙ୍କ  ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ  ଜନସାଧାରଣଙ୍କଠାରୁ ମୋଟ ୨୨୦ ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୩୫ ଟି ବ୍ୟକ୍ତିଗତ ସମସ୍ୟା, ୦୫ ଟି ସାମୁହିକ/ସାଧାରଣ ସମସ୍ୟା, ୭୮ ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (CMRF) ରୁ ସହାୟତା ଏବଂ ୦୨ ଟି ରେଡକ୍ରସ୍ ସହାୟତା ପାଇଁ ଆବେଦନ କରାଯାଇଥିଲା। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଟଣାସ୍ଥଳରେ ହିଁ ୮୪ ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇପାରିଛି। ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ , ଅତିରିକ୍ତ ଜିଲ୍ଲାପାଳ  ଶ୍ରୀ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନାଗେନ୍ଦ୍ରନାଥ ମହାପାତ୍ର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର (ଅଭିଯୋଗ ପ୍ରକୋଷ୍ଠ) ଶ୍ରୀ ସାରସ୍ୱତ ସାହୁ, ଯାଜପୁର ବି.ଡି.ଓ. ଶ୍ରୀ ବ୍ରହ୍ମାନନ୍ଦ ବେହେରା ଏବଂ ଯାଜପୁର ତହସିଲଦାର ଶ୍ରୀ ରବି ନାରାୟଣ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିବା ସହ ତାହାର ନିରାକରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ।

-0-

ଅଭିନାଶ ସାଗର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *