ବାରଙ୍ଗ ୦୩ /୦୨/୨୦୨୬ (ଓଡ଼ିଶା ସମାଚାର)-ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଚତୁର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ ଉଦଯାପିତ ହୋଇଛି । ସୋମବାରଠାରୁ ଆରମ୍ଭ ହୋଇ ଏହା ଦୁଇଦିନ ଧରି ଚାଲିବା ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନରୁ ଆସିଥିବା ବୁଦ୍ଧିଜୀବୀ ଓ ଅନୁବାଦ ସାହିତ୍ୟକାରମାନଙ୍କୁ ଏକାଠି କରିଥିଲା । ଏହାର ଉଦଘାଟନୀ ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ପାଦକ ଡ. ଚନ୍ଦ୍ରଶେଖର ହୋତା ଅତିଥି ଭାବରେ ଯୋଗ ଦେଇଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ଏହି ଅନୁବାଦକ ସମ୍ମିଳନୀକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।
ରିସର୍ଚ୍ଚ ଓ ଏକାଡେମିକ୍ ବିଭାଗ ଡିନ୍ ପ୍ରଫେସର ଡ. କେଶରୀ ସିଂହ, ଫ୍ୟାକଲ୍ଟି ଅଫ୍ ଆର୍ଟ୍ସ, କମ୍ୟୁନିକେସନ୍ ଆଣ୍ଡ୍ ଇଣ୍ଡିକ୍ ଷ୍ଟଡିଜ୍ ଡିନ୍ ପ୍ରଫେସର ଡ. ରତିକାନ୍ତ ମହାପାତ୍ର, ନ୍ୟାସନାଲ୍ ସ୍କିଲ୍ ଡେଭେଲପମେଣ୍ଟ କର୍ପୋରେସନ୍ ପରାମର୍ଶଦାତା ଦ୍ୟାନେଶ୍ୱର ମୁଲେ ଏବଂ ଭାରତୀୟ ଅନୁବାଦ ସାହିତ୍ୟ ସମ୍ପାଦକ ଶରତ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କିଭଳି ଅନୁବାଦ ସାହିତ୍ୟର ଅଧିକରୁ ଅଧିକ ବିକାଶ ହୋଇପାରିବ, ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଏହି ଦୁଇଦିନିଆ ଜାତୀୟ ଅନୁବାଦକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସାୟନ୍ତନ ଦାସଗୁପ୍ତ, ଶିକ୍ଷାସନ୍ଧାନର ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ସିକିମ୍ ବିଶ୍ୱବିଦ୍ୟାଳୟର ଡ. ଶାଶ୍ୱତି ଶାହା ପ୍ରମୁଖ ଉପସ୍ଥିତ ରହି ଭାରତୀୟ ଅନୁବାଦ ସାହିତ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଦ୍ୱିତୀୟ ଦିନ ଓଡ଼ିଆ ଅନୁବାଦ ଓ ସାହିତ୍ୟ ପତ୍ରିକା ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଜାତୀୟ ପ୍ରଗତି ଓ ସାଂସ୍କୃତିକ ବିନିମୟରେ ଅନୁବାଦର ଭୂମିକା ଶୀର୍ଷକରେ ପ୍ୟାନେଲ୍ ଆଲୋଚନା ମଧ୍ୟ ହୋଇଥିଲା । ବିଭିନ୍ନ ଅଧିବେଶନରେ ଡ. ଦୀପକ ସାମନ୍ତରାୟ, ମଧୁସୂଦନ ଦାସ, ଡ. ଗାୟତ୍ରୀ ଗୋସ୍ୱାମୀ, ଡ. ସୁନିତା ଦେବୀ, ଡ. କବିତା ପାଟିଲ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଡ. ଶାଶ୍ୱତ ପଣ୍ଡା ପ୍ରମୁଖ ସଭାପତିତ୍ୱ କରିଥିଲେ । ସମ୍ମିଳନୀ ଶେଷରେ ଏହାର ଆବାହକ ଡ. ରିନ୍ଦନ କୁଣ୍ଡୁ ଧନ୍ୟବାଦ ପ୍ରଦାନ କରିଥିଲେ ।
