କେନ୍ଦ୍ରାପଡ଼ା,୦୩/୦୨/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆସନ୍ତା ୨୫ ତାରିଖରେ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏହି ପରିପରିପ୍ରକ୍ଷୀରେ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ରଘୁରାମ ଆର. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଜିଲା ନିୟୋଜନ ଅଧିକାରୀ ଇନ୍ଦିରା ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,ବିଭିନ୍ନ କଲେଜ, ଆଇ.ଟି.ଆଇ ଓ ଡିପ୍ଲୋମା କଲେଜ କର୍ତୃପକ୍ଷ ପ୍ରମୁଖ ଯୋଗଦେଇଥିଲେ । ନିଯୁକ୍ତି ମେଳାକୁ ଶୃଙ୍ଖଳିତ ଏବଂ ସଠିକଭାବେ ଆୟୋଜନ ନେଇ ଜିଲାପାଳ ସମସ୍ତ ଅଧିକାରୀମାନଙ୍କୁ ନର୍ିଦେଶ ଦେଇଛନ୍ତି ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସଡିଏ) ଏବଂ ଜିଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ କେନ୍ଦ୍ରାପଡ଼ାଙ୍କ ଦ୍ୱାରା ଓ ଜିଲା ପ୍ରଶାସନର ସହଯୋଗରେ ଆସନ୍ତା ଫେବୃଆରୀମାସ ୨୫ତାରିଖ ପୂର୍ବାହ୍ନ ୧୦ ଘଟିକାରୁ ୩ ଘଟିକା ମଧ୍ୟରେ ଜିଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହେବ ।
ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ କେତେକ ନିଯୁକ୍ତିଦାତା ସଂସ୍ଥା ଯୋଗଦାନ କରିବା ନିମନ୍ତେ ସମ୍ମତି ପ୍ରକାଶ କରିଛନ୍ତି । ନିଯୁକ୍ତି ସଂସ୍ଥା ମାନଙ୍କ ଦ୍ୱାରା କିଛି ପ୍ରାର୍ଥୀଙ୍କୁ ସିଧାସଳଖ ନିଯୁକ୍ତି ଓ ଆଉ କିଛି ଜଣଙ୍କୁ ନିଯୁକ୍ତି ଭିତିକ ତାଲିମ ପରେ ନିଯୁକ୍ତି ପ୍ରଦାନର ବ୍ୟବସ୍ଥା ରହିଛି । ଏହି ନିଯୁକ୍ତି ମେଳାରେ ଜିଲାର ଇଚ୍ଛୁକ ପ୍ରାର୍ଥୀ/ପ୍ରାର୍ଥୀନୀମାନେ, ଗ୍ରାମାଂଚଳ ଓ ସହରାଂଚଳରେ ଥିବା ପଂଚମ ଶ୍ରେଣୀରୁ +୩, ଏଏନଏମ, ଜିଏନଏମ , ଆଇ. ଟି. ଆଇ ଓ ଡିପ୍ଲୋମା ପାସ୍ କରିଥିବା ୧୮ ବର୍ଷରୁ ୩୫ବର୍ଷ ମଧ୍ୟରେ ସମସ୍ତେ ଯୋଗଦେଇ ପାରିବେ ।
