କଟକ ସଦର,୦୧/୦୨/୨୦୨୬ (ଓଡ଼ିଶା ସମାଚାର / ବିଷ୍ଣୁ ବେହେରା) ନିର୍ବାଚନ ରେ ହାରିଯିଵା ପରଠାରୁ ବିଜେଡ଼ି ଠାରୁ ଏକପ୍ରକାର ଦୂରେଇ ରହିଥିଵା କଟକ ସଦର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କର ଏବେ ମାନଭଞ୍ଜନ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ର ସାରଥି ନିର୍ବାଚନ ମଣ୍ଡଳୀ ର କର୍ମୀ ମାନଙ୍କ ଠାରୁ ଦୂରେଇଯିବା ଫଳରେ କର୍ମୀମାନେ ହତୋତ୍ସାହିତ ହୋଇ ଏକପ୍ରକାର ସ୍ଥାଣୁ ଅବସ୍ଥାରେ ଥିବା ଅଭିଯୋଗ ହୋଇଆସୁଥିଲା। ସେହିପରି କଟକ ଜିଲ୍ଲା ବିଜେଡ଼ି ସଭାପତି ଚୟନ ନେଇ ଚନ୍ଦ୍ର ସାରଥି ଅସୁଖି ଥିବା ଏଵଂ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଙ୍କୁ ଗ୍ରହଣ କରୁନଥିବା ଚର୍ଚ୍ଚା ଜୋର ଧରିଥିଲା। ଏପରିକି ପ୍ରଫୁଲ୍ଲ ସିଂହ କଟକ ରେ କରିଥିବା ଶାରଦୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ମଧ୍ୟ ଚନ୍ଦ୍ର ସାରଥି ଯୋଗ ଦେଇ ନଥିଲେ।
ଏବେ ଗତକାଲି ଶନିବାର ଦିନ ଚନ୍ଦ୍ର ସାରଥି ଦଳୀୟ ଚାପରେ ନାଁ ନିଜର ମନ ପରିବର୍ତ୍ତନ କରି କଟକ ଦୋଳମୁଣ୍ଡାଇ ଠାରେ ଥିବା ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ପହଞ୍ଚି ଥିବା ଜଣାଯାଇଛି। ଗତ କିଛି ଦିନ ହେଲା ଚନ୍ଦ୍ର ସାରଥି ଜିଲ୍ଲା ସଂଗଠନ ସହ ନିଜକୁ ଖାପଖୁଆଇ ପାରୁନଥିବା ବେଳେ ହଠାତ୍ ଜିଲ୍ଲା କାର୍ଯ୍ୟାଳୟକୁ ଆସି ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ଠାରୁ ସମ୍ବର୍ଦ୍ଧିତ ହେବା କେଉଁଠି ନା କେଉଁଠି ଦୂର୍ବଳ ସଂଗଠନ କୁ ସଜାଡିବାକୁ ଉଦ୍ୟମ କରାଯାଉଛି ବୋଲି ଚର୍ଚ୍ଚା ହେଉଛି। ତେବେ ଜଣେ ବିଜେଡି ରେ ଥିବା ନେତାଙ୍କୁ ଜିଲ୍ଲା ବିଜେଡ଼ି ସଭାପତି କାହିଁକି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ତାକୁ ନେଇ ଅନେକ ପ୍ରଶ୍ନବାଚୀ ଠିଆ ହୋଇଛି।
