“କାପୁଡିଆ” ଙ୍କୁ ଓବିସି ରେ ସାମିଲ କରାଯାଉ”
ଭୁବନ ୨୫/୦୧/୨୦୨୬(ଓଡ଼ିଶା ସମାଚାର)- ଭୁବନ ବୁଦ୍ଧେଶ୍ଵର ମନ୍ଦିର ପରିସରରେ ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା “କାପୁଡିଆ ସମାଜ” ର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ରବିବାର ଅପରାହ୍ନ ରେ ଉଦଯାପିତ ହୋଇଯାଇଛି । ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ରାଉତ ଙ୍କ ଅଧ୍ୟକ୍ଷତା ଓ ନିରଞ୍ଜନ ଗୁରୁ ଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ କାପୁଡିଆ ସମାଜର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବକିଶୋର ଗୁରୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ “କାପୁଡିଆ ସମାଜ” କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି ) ରେ ସାମିଲ କରାଯାଇ ନ ଥିବାରୁ ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା,ଚାକିରି କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏଥିପାଇଁ କାପୁଡିଆ ସମାଜ କୁ ଓବିସି ରେ ସାମିଲ କରାଯିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବରୁ ରାଜ୍ୟ ସରକାର କାପୁଡିଆ ସମାଜ କୁ ସାମାଜିକ ଅର୍ଥନୈତିକ ପଛୁଆ ବର୍ଗ ( ଏସ ଇ ବି ସି ) ରେ ସାମିଲ କରିଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସାଂଗଠାନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଇନଜୀବି ନବ କିଶୋର ଗୁରୁ ଙ୍କୁ ସର୍ବ ସମ୍ମତ କ୍ରମେ ପୁନର୍ବାର ରାଜ୍ୟ ସଭାପତି ଭାବେ ଚୟନ କରାଯାଇଥିଲା । ସାଧାରଣ ସମ୍ପାଦକ ଭାବେ ବାଲିକିଆରୀ ଗ୍ରାମର ଜ୍ଞାନ ରଞ୍ଜନ ଦାସ, ସଂଗଠନ ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ,ଉପ ସଭାପତି ସନାତନ ପାତ୍ର,ଖଗେଶ୍ବର ନାୟକ,କୃଷ୍ଣ ଚନ୍ଦ୍ର ପୃଷ୍ଟି,ବିଚିତ୍ର ସାହୁ,ନିତ୍ୟାନନ୍ଦ ନାହାକ,ସମ୍ପାଦକ ରବୀନ୍ଦ୍ର ପୃଷ୍ଟି,ଲକ୍ଷ୍ମଣ କୁମାର ଦାସ,କୋଷାଧ୍ୟକ୍ଷ ନିତ୍ୟାନନ୍ଦ ରାଉତ ଏବଂ ଗଣମାଧ୍ୟମ ସଂଯୋଜକ ଭାବେ ନିରଞ୍ଜନ ଗୁରୁ ଙ୍କୁ ମନୋନୀତ କରାଯାଇଥିଲା।
ଢେ଼ଙ୍କାନାଳ ଜିଲ୍ଲା ସଭାପତି ଭାବେ ରାମଚନ୍ଦ୍ର ରାଉତ ଏବଂ ସାଧାରଣ ସମ୍ପାଦକ ଭାବେ ଭାସ୍କର ଚନ୍ଦ୍ର ନାୟକ ଙ୍କୁ ମନୋନୀତ କରାଯାଇଥିଲା । ଆସନ୍ତା ରକ୍ଷା ବନ୍ଧନ ଓ ପ୍ରଭୁ ବଳଭଦ୍ର ଙ୍କ ଜନ୍ମ ଦିନକୁ ଯାକ ଯମକରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଜାତିକୁ ଆଗେଇ ନେବା ପାଇଁ ଶପଥ ପାଠ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ୪୦ ଜନ ବ୍ୟକ୍ତି ଙ୍କୁ ମାନପତ୍ର, ପୁଷ୍ପଗୁଛ,ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୃଷ୍ଟି ପରିବାର ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ “କାପୁଡିଆ ସମାଜ” ଭୁବନ ସମ୍ପାଦକ ବିଦ୍ୟାଧର ବିହାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।
