ଭୁବନେଶ୍ୱର,୨୪/୦୧/୨୦୨୬ (ଓଡ଼ିଶା ସମାଚାର)- ବିଶିଷ୍ଟ ସମାଜସେବୀ, ସମାଜ ସଂସ୍କାରକ, ସାମାଜିକ ନ୍ୟାୟ ଆନ୍ଦୋଳନର ଅନ୍ୟତମ ମୁଖ୍ୟ ପ୍ରବକ୍ତା ରତ୍ନାକର ମାଣିଆଙ୍କ ୧୦୨ତମ ଜୟନ୍ତୀ ସମାରୋହ ରତ୍ନାକର ମାଣିଆ ଫାଉଣ୍ଡେସନ୍ ଆନୁକୂଲ୍ୟରେ ରେଡକ୍ରସ ଭବନ ସଭାକକ୍ଷ, ୟୁନିଟ୍-୯, ଭୁବନେଶ୍ୱରଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଅଛି । ସମାଜର ଅବହେଳିତ ଜନଗଣଙ୍କ ଦୁଃଖ ମୋଚନ ପାଇଁ ଅବିରତ ସଂଗ୍ରାମକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ରତ୍ନାକର ମାଣିଆ ପ୍ରକୃତପକ୍ଷେ ଏକ ଅନନ୍ୟ ସାଧାରଣ ବ୍ୟକ୍ତିତ୍ୱ । ଉଚ୍ଚ ପ୍ରଶାସନିକ ପଦବୀରେ ଥାଇ ମଧ୍ୟ ସାଧାରଣ ଲୋକଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ସେ ଯତ୍ପରୋନାସ୍ତି ପ୍ରୟାସ କରିଆସିଥିଲେ । ସମାଜରେ ରହିଆସିଥିବା କୁସଂସ୍କାର, ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ସେ ଉଦ୍ୟମ ଜାରି ରଖୁଥିଲେ । ସାମନ୍ତବାଦୀ ବ୍ୟବସ୍ଥା ବିରୁଦ୍ଧରେ ତାଙ୍କର ସ୍ୱର ଶାଣିତ ଥିଲା । ସେ ଜଣେ ସଚ୍ଚୋଟ, ନିର୍ଭିକ ଓ ନିର୍ବିବାଦୀୟ ବ୍ୟକ୍ତି ଥିଲେ ବୋଲି ତାଙ୍କର ୧୦୨ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଉପସ୍ଥିତ ଅତିଥିଗଣ ମତବ୍ୟକ୍ତ କରିଥିଲେ ।
ଫାଉଣ୍ଡେସନର ସଭାପତି, ବରିଷ୍ଠ ସମାଜସେବୀ, ସାମାଜିକ ନ୍ୟାୟ ଆନ୍ଦୋଳନର ଅନ୍ୟତମ ସମ୍ମୁଖ ଯୋଦ୍ଧା, ଉତ୍କଳ ଭାରତୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଉପସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଅର୍ଥନୀତି ବିଶାରଦ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି, ବିଶ୍ୱବ୍ୟାଙ୍କର ଅର୍ଥନୈତିକ ପରାମର୍ଶଦାତା ପ୍ରଫେସର କୁମରବର ଦାସ ମୁଖ୍ୟ ଅତିଥି, ପ୍ରାକ୍ତନ ବିଧାୟିକା, ବରୀ ଶ୍ରୀମତୀ ସୁନନ୍ଦା ଦାସ ସମ୍ମାନୀତ ଅତିଥି ଓ ବିଶିଷ୍ଟ ଶିକ୍ଷାବିତ ଅଧ୍ୟାପକ ଦୁର୍ଯେ୍ୟାଧନ କାଠୁଆ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ସୁଶ୍ରୀ ଶ୍ରୀୟା ଦାସଙ୍କୁ ଚଳିତ ବର୍ଷର ରତ୍ନାକର ମାଣିଆ ବିଦ୍ୟାର୍ଥୀ ପୁରସ୍କାର ଓ ସର୍ବଶ୍ରୀ ଶଙ୍କର୍ଷଣ ବେହେରା, ଗୌରହରି ବାରିକ, ନୃସିଂହ ନାରାୟଣ ଦାସଙ୍କୁ ରତ୍ନାକର ମାଣିଆ ସମ୍ମାନ ପ୍ରଦାନ କରାଯାଇଥିଲା ।
ପ୍ରାରମ୍ଭରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ରତ୍ନାକର ମାଣିଆଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ବିଶିଷ୍ଟ ସମାଜସେବୀ, ସ୍ତମ୍ଭକାର, ଫାଉଣ୍ଡେସନର ଉପସଭାପତି କ୍ଷେତ୍ରମୋହନ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଗୌରହରି ବାରିକ, ଫାଉଣ୍ଡେସନର ଅନ୍ୟତମ ଉପସଭାପତି ଡଃ କାର୍ତିକ ଚନ୍ଦ୍ର ପୃଷ୍ଟି, କିଶୋର ମାଣିଆ, ଗୋପବନ୍ଧୁ ଦାସ, ରାମଚନ୍ଦ୍ର ପାଣ୍ଡବ, ନୃସିଂହ ଚରଣ ବେହେରା, ଡଃ ଜୟନ୍ତୀ ମାଣିଆ ଓ ଉତ୍କଳ ଯାଦବ ମହାସଭାର ଉପଦେଷ୍ଟା ଲକ୍ଷ୍ମୀଧର ବେହେରା ପ୍ରମୁଖ ଏହି ଅବସରରେ ସ୍ୱର୍ଗତ ମାଣିଆ କୀର୍ତି ଓ କୃତି ସମ୍ପର୍କରେ ବକ୍ତବ୍ୟ ରଖି ଶ୍ରଦ୍ଧା ନିବେଦନ କରିଥିଲେ । ଫାଉଣ୍ଡେସନର ସଂପାଦକ କର୍ପୋରେଟର ରାଜକିଶୋର ଦାସ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।
ରତ୍ନାକର ମାଣିଆ ଏକ ଅନନ୍ୟ ସାଧାରଣ ବ୍ୟକ୍ତିତ୍ୱ – ୧୦୨ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି
