ନେତାଜୀ ଜୟନ୍ତୀ ଅବସରରେ ଭେଟେରାନ୍ସ୍ କ୍ଲବ୍ ଓଡ଼ିଶା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ।

ଭୁବନେଶ୍ୱର,୨୩/୦୧/୨୦୨୬(ଓଡ଼ିଶା ସମାଚାର)-ଆଜି ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଭେଟେରାନ୍ସ୍ କ୍ଲବ୍ ଓଡ଼ିଶା ପକ୍ଷରୁ ରସୁଲଗଡ଼ ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଅନେକ ରାଜ୍ୟସ୍ତରୀୟ ସଙ୍ଗଠନମାନଙ୍କ ପକ୍ଷରୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଥିଲା ବେଳେ ଭେଟେରାନ୍ସ୍ କ୍ଲବ୍ ଓଡ଼ିଶା ପକ୍ଷରୁ ସ୍ବାଧୀନତା ସଂଗ୍ରାମରେ ନେତାଜୀଙ୍କ ବିଶେଷ ଯୋଗଦାନ ଉପରେ ଆଧାରିତ ଏକ ସ୍ଵତନ୍ତ୍ର ବ୍ୟାନର ଉପସ୍ଥାପନ କରାଯାଇଥିଲା । ନେତାଜୀଙ୍କ ବ୍ୟକ୍ତିତ୍ବ ଓ ସ୍ବାଧୀନତା ସଂଗ୍ରାମରେ ଅଦମ୍ୟ ସାହସର ପରାକାଷ୍ଠା ପ୍ରଦର୍ଶନ ଉପରେ ଆଲୋକପାତ କରି ଭେଟେରାନ୍ସ୍ କ୍ଲବ୍ ଓଡ଼ିଶା ସଭାପତି ଭେଟେରାନ୍ ବିଦ୍ୟାଧର ନାୟକ କହିଛନ୍ତି ଯେ ଭାରତୀୟ ଇତିହାସର ଲେଖକମାନେ ନେତାଜୀଙ୍କ ପ୍ରତି ଅନେକ ଅନ୍ୟାୟ କରିଛନ୍ତି ।

ଭାରତର ସ୍ଵାଧୀନତା ଆନ୍ଦୋଳନରେ ତାଙ୍କର ଯୋଗଦାନକୁ ସଠିକ୍ ଭାବେ ଉପସ୍ଥାପନ କରାଯାଇନାହିଁ । ତାଙ୍କ ନେତୃତ୍ଵରେ ପରିଚାଳିତ ଆଜାଦ୍ ହିନ୍ଦ୍ ଫଉଜର ଅଦ୍ଭୁତ ବୀରତ୍ୱର ଗାଥା ସଦା ସର୍ବଦା ଭାରତୀୟ ସୈନିକ ମାନଙ୍କୁ ପ୍ରେରିତ କରି ଆସିଛି । ଆଜାଦ୍ ହିନ୍ଦ୍ ଫଉଜ୍ ପ୍ରେରଣାରେ ୧୯୪୬ ମସିହାରେ ନୌସେନା ବିଦ୍ରୋହ ସଙ୍ଗଠିତ ହୋଇଥିଲା । ଏହା ବ୍ରିଟିଶ୍ ସାମ୍ରାଜ୍ୟର ବିରୁଦ୍ଧରେ ଭାରତର ଶେଷ ସ୍ଵାଧିନତା ସଂଗ୍ରାମ ବୋଲି କୁହାଯାଏ । କିନ୍ତୁ ନେତାଜୀଙ୍କ ଗରିମାକୁ କ୍ଷୁର୍ଣ୍ଣ କରିବା ପାଇଁ ତତ୍କାଳୀନ ରାଜନୀତିର ପ୍ରଭାବରେ ଇତିହାସକାର ମାନେ ଭାରତୀୟ ସୈନିକ ମାନଙ୍କର ଏ ଯୋଗଦାନକୁ ଲୁଚାଇ ଦେଲେ । କିନ୍ତୁ ବର୍ତ୍ତମାନ ସମୟ କଡ଼ ଲେଉଟାଇଛି ଏବଂ ଆମେ ସ୍ୱାଧୀନତା ପ୍ରାପ୍ତିର ଅମୃତ ମହୋତ୍ସବ ପରେ ଅନେକ ମାତ୍ରାରେ ସଚେତ ହୋଇଛେ । ସାତ ତାଳ ପଙ୍କ ଭିତରୁ ସତ୍ୟ ଉଦ୍ଭାସିତ ହେବାକୁ ଲାଗିଛି । ଅନେକ ବଳିଦାନୀ ଯୋଦ୍ଧାଙ୍କ ବୀରତ୍ୱର ଗାଥା ଜନ ସମାଜର ସାମ୍ନାକୁ ଆସୁଛି ।

ଏହି କ୍ରମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ନ୍ୟାୟ ହେବ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭେଟେରାନ୍ ଗୋପୀନାଥ ମିଶ୍ର ବୁଡ଼ାଜାହାଜରେ ନେତାଜୀଙ୍କର ବର୍ଲିନ ସହରରୁ ଟୋକିଓ ଯାତ୍ରାର ରୋମାଞ୍ଚକର ପ୍ରସଙ୍ଗକୁ ସ୍ମରଣ କରି ନିଜର ବକ୍ତବ୍ୟ ରଖିଥିଲେ । ଭେଟେରାନ୍ ମାର୍କୋସ୍ ରବୀନ୍ଦ୍ର କୁମାର ସାହୁ ନେତାଜୀଙ୍କୁ ଜଣେ ବାସ୍ତବ ଯୋଦ୍ଧା ରୂପେ ବର୍ଣ୍ଣନା କରି ତାଙ୍କର ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭେଟେରାନ୍ ସମରେନ୍ଦ୍ର ପରିଜା, ବିଭୁପ୍ରସାଦ ସ୍ୱାଇଁ, କାଳୀପ୍ରସାଦ ମିଶ୍ର, ଅନ୍ତର୍ଯ୍ୟାମୀ ଦାଶ, ଦୀନବନ୍ଧୁ ଷଡ଼ଙ୍ଗୀ, ମନୋଜ କୁମାର ସେନାପତି, ଶେଷଦେବ ମିଶ୍ର, ହରପ୍ରସାଦ ଦୋରା, ବିମଳ ପ୍ରସାଦ ବାରିକ୍ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *