ଭୁବନେଶ୍ୱର,୨୧/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉଚ୍ଚଶିକ୍ଷା ବିଭାଗ ଓଡିଶା, ଅଧୀନସ୍ଥ “ଆମ ଗୌରବ ଆମ କଲେଜ” ଦ୍ୱାରା ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରୀ ଏବଂ କର୍ମଚାରୀ ମାନଙ୍କ ମଧ୍ୟରେ ଯୌନ ନିର୍ଯାତନା ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଡିଜିଟାଲ ବୈଠକ ମାଧ୍ୟମରେ ଆୟୋଜିତ ହୋଇଯାଇଛି ।
“ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ରୋକିବା’ ଶୀର୍ଷକ ଉପରେ ମୁଖ୍ୟ ବକ୍ତା ଥିଲେ ଶ୍ରୀମତୀ ନମ୍ରତା ଚଢା ଯିଏକି ଜଣେ ସୁନାମଧନ୍ୟା ମହିଳା ସଶକ୍ତିକରଣ ଓକିଲ, ସାମାଜିକ କର୍ମୀ, POSH ପ୍ରଶିକ୍ଷକ ଏବଂ ରାଜ୍ୟ ମହିଳା କମିଶନ, ଓଡ଼ିଶା ର ପୂର୍ବତନ ସଦସ୍ୟ । । ସେ ଆଇନଗତ ଢାଂଚା, ସଂସ୍ଥାଗତ ଦାୟିତ୍ୱ ଏବଂ ବାଳିକା ଛାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ, ମର୍ଯ୍ୟାଦାପୂର୍ଣ୍ଣ ଏବଂ ଅନ୍ତର୍ଭୁକ୍ତ ଶୈକ୍ଷିକ ପରିବେଶ ସୁନିଶ୍ଚିତ କରିବାରେ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ।
ରାଜ୍ୟସ୍ତରୀୟ ୱେବିନାରରେ ୨୦ ଟି ମହାବିଦ୍ୟାଳୟରୁ ଅନ୍ୟୁନ ୨,୫୦୦ ଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକାମାନେ ଅଂଶଗ୍ରହଣ କରିଥିଲେ । ଏଥିମଧ୍ୟରୁ ଅନୁଗୁଳ ମହିଳା ମହାବିଦ୍ୟାଳୟ, ସୁନାବେଡା ମହିଳା ମହାବିଦ୍ୟାଳୟ, ମାହାଙ୍ଗା ମହିଳା ମହାବିଦ୍ୟାଳୟ, ଧର୍ମଶାଳା ମହିଳା ମହାବିଦ୍ୟାଳୟ, ମହାମାୟୀ ମହିଳା ମହାବିଦ୍ୟାଳୟ, କମଳାନେହେରୁ ମହିଳା ମହାବିଦ୍ୟାଳୟ, ସରକାରି ମହିଳା ମହାବିଦ୍ୟାଳୟ, ସୁନ୍ଦରଗଡ ଇତ୍ୟାଦି ଯୋଗ ଦେଇଥିଲେ ।
ଆମ ଗୌରବ ଆମ କଲେଜ ସଦା ସର୍ବଦା ବିଭିନ୍ନ ନୂତନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ସହିତ ଯୋଡି ହୋଇରହିଛି ଏବଂ ସଚେତନତା ମୂଳକ କର୍ମଶାଳା ମାନ ଆୟୋଜନ କରି ସରକାରଙ୍କ ଶକ୍ତିଶ୍ରୀ କାର୍ଯ୍ୟକ୍ରମକୁ ପୁର୍ଣ୍ଣସହଯୋଗ କରିଆସୁଛି ।
ଏହି କାର୍ଯ୍ୟକ୍ରମକୁ “ଆମ ଗୌରବ ଆମ କଲେଜ” ପରିଚାଳନା ସଂଗଠନର ପରିଚାଳକ ହରିହର ବଡ଼ପଣ୍ଡା ଏବଂ କର୍ମଚାରୀ ସୌମ୍ୟରଞ୍ଜନ ଉଦଗାତା, ଚୈତାଳୀ ସୋମ୍, ସ୍ୱାତୀ ପ୍ରଭା ମିଶ୍ର, ପ୍ରିତିନନ୍ଦା ମହାପାତ୍ର ଓ ଅଭିରାମ ଜେନା ପରିଚାଳନା କରିଥିଲେ ।
