ଢେଙ୍କାନାଳ, ୧୯/୦୧/୨୦୨୬ (ଓଡ଼ିଶା ସମାଚାର)- ଆମ୍ ଆଦମୀ ପାର୍ଟି ପକ୍ଷରୁ ଧାନ ମଣ୍ଡି ପରିଦର୍ଶନ ଏବଂ ସଚେତନତା କାର୍ଯ୍ୟକ୍ରମ ସୋମବାର ଗଁଦିଆ ବ୍ଲକ ଯୋରନ୍ଦା ଅଞ୍ଚଳରେ ହୋଇଯାଇଛି। ଏହି ଅବସରରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି, ରୋଜଗାର ଓ କୃଷିର ସମସ୍ୟାକୁ ନେଇ ଏକ କ୍ୟାଲେଣ୍ଡର ମାଧ୍ୟମରେ ସଚେତନ କରାଯାଇଛି। ପ୍ରକାଶ ଥାଉକି ଜିଲ୍ଲାରେ ଧାନ ମଣ୍ଡି ଅନେକ ଦିନରୁ ଉଦ୍ଘାଟନ ହୋଇଥିଲେ ମଧ୍ୟ ଚାଷୀମାନେ ଧାନ ଦେଇପାରୁନାହାନ୍ତି। କେଉଁଠି ସରକାରୀ ବ୍ୟବସ୍ଥା ଠିକ ନାହିଁ ତ କେଉଁଠି ମିଲର ମାନେ ଧାନ କିଣିବାକୁ ଆସୁନାହାଁନ୍ତି।
ଚାଷୀଙ୍କୁ ସବୁଠୁ ବେଶୀ କଷ୍ଟ ଦେଉଛି କଟନୀ ଛଟଣୀ। ଆଜି ଯୋରନ୍ଦା ସମବାୟ ସମିତି ମଣ୍ଡିରେ ଧାନ ଦେଉଥିବା ଚାଷୀ ମାନଙ୍କୁ ପଚାରିବାରୁ ମଣ୍ଡିରେ ୫ କିଲୋ ରୁ ୮କିଲୋ ଧାନ କାଟୁଛନ୍ତି ବୋଲି ପ୍ରକାଶ କରିଥିଲେ। ଯେଉଁଠି ବିଜେପି ଶାସନକୁ ଆସିବା ପୂର୍ବରୁ କଟନୀ ଛଟଣୀ କରାଯିବନାହିଁ ବୋଲି ଆଶ୍ୱାସନ ଦେଇଥିଲା ତାହା କେବଳ ପାଣିର ଗାର ହୋଇ ରହିଯାଇଛି । ଗତ ଦୁଇ ମାସ ପୂର୍ବରୁ ଚାଷୀ ଧାନ ଅମଳ କରି ଖୋଲା ଆକାଶ ତଳେ ଖରା ଶୀତ କାକରରେ ରଖିଛି। ବେଶୀ ଦିନ ଧାନ ରହିଯିବା ଫଳରେ ତାର ଗୁଣାତ୍ମକ ମାନ ହ୍ରାସ ପାଉଥିବା ବେଳେ ମୂଷା ଓ ହାତୀ ମାନଙ୍କ କବଳରୁ ରକ୍ଷା କରିବା କଷ୍ଟ ହୋଇପଡିଛି।ମଣ୍ଡିରେ କେଉଁଠି ଚାଷୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଜଳପାନ ବ୍ୟବସ୍ଥା କରା ଯାଇ ନାହିଁ।
ଏହି ଅର୍ଥକୁ ନେତା ମନ୍ତ୍ରୀ ଓ ଅଧିକାରୀ ମାନେ ଆତ୍ମସାତ କରିଛନ୍ତି। ଚାଷୀମାନେ ମଣ୍ଡିରେ ଦେଉଥିବା ଧାନ ବସ୍ତାର ମୂଲ୍ୟ ଫେରସ୍ତ ପାଇବା ପାଇଁ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ପୂର୍ବରୁ ବିଜେଡି ସରକାର ଶୁଣିଲା ନାହିଁ, ଏବେ ବିଜେପି ସରକାର ମଧ୍ୟ କର୍ଣ୍ଣପାତ କରୁନାହିଁ। ଫଳରେ ଚାଷୀର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡୁଛି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ଜିଲ୍ଲା ସମ୍ପାଦକ ଅନିଲ ସାମଲ, ଯୋରନ୍ଦା ଜୋନ୍ ସଭାପତି ପ୍ରଶାନ୍ତ ଦାସ, ସଦସ୍ୟ ପିତାମ୍ବର ସାମନ୍ତରାୟ ଓ ଜୟଦେବ ବେହେରା ପ୍ରମୁଖ ଚାଷୀମାନଙ୍କର ଧାନ ତୁରନ୍ତ କିଣାଯିବା, ବସ୍ତା ପଇସା ଫେରସ୍ତ କରିବା, ଓଜନରେ ୫୦୦ଗ୍ରାମରୁ ଅଧିକ ହେଲେ ଏକ କିଲୋଗ୍ରାମ ଗଣିବା ଓ ନେତାମାନଙ୍କୁ ଜଳପାନ ଦେବା ପରିବର୍ତ୍ତେ ଚାଷୀ ମାନଙ୍କୁ ଏହି ସୁବିଧା ଦେବାପାଇଁ ଦାବି କରିଛନ୍ତି।
