ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟୟନ କେନ୍ଦ୍ରରେ ଦ୍ବି ଦିବସୀୟ ସଂସ୍କୃତ ଉନ୍ମୁଖୀ କାର୍ଯ୍ୟକ୍ରମ -୨୦୨୬ ଉଦଯାପିତ

ଢେଙ୍କାନାଳ,୧୯/୦୧/୨୦୨୬ (ଓଡ଼ିଶା ସମାଚାର)-  ନିକଟରେ ସ୍ଥାନୀୟ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ସଭାଗୃହରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ବ ବିଦ୍ୟାଳୟର ଆର୍ଥିକ ସହଯୋଗରେ ସଂସ୍କୃତ ଅଧ୍ୟୟନ କେନ୍ଦ୍ର ଓ ଜାତୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ(ଏନ୍ ଏ ଏ ସି) ବିଭାଗର ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା ପ୍ରକୋଷ୍ଠ (ଆଇକ୍ୟୁଏସି)ର ମିଳିତ ଆନୁକୁଲ୍ୟରେ ଦ୍ବି ଦିବସୀୟ ସଂସ୍କୃତ ଉନ୍ମୁଖୀ କାର୍ଯ୍ୟକ୍ରମ-୨୦୨୬ ଉଦ୍ ଯାପିତ ହୋଇଯାଇଛି।

ସଂସ୍କୃତ ବିଭାଗ ମୁଖ୍ୟ ଉଦ୍ଧବ ମଲ୍ଲିକଙ୍କ ଆବାହକତ୍ୱରେ ତଥା ସଂସ୍କୃତ ସମ୍ଭାଷଣ ଶିକ୍ଷକ ଅରିନ୍ଦମ ପାରୁଇଙ୍କ ତତ୍ତ୍ବାବଧାନରେ ଅଧ୍ୟକ୍ଷ ଡ. ଶକୁନ୍ତଳା ଜେନାଙ୍କ ପୌରୋହିତ୍ୟରେ,ପ୍ରଶାସନିକ ମୁଖ୍ୟ  ଭୁବନେଶ୍ବର ମୁଦୁଲିଙ୍କ ସହଯୋଗରେ, ସତ୍ୟନାରାୟଣ ଦ୍ବିବେଦୀଙ୍କ ବଳିଷ୍ଠ ସଭା ସଂଯୋଜନାରେ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଡଃ ରଞ୍ଜିତ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସ୍ବୀୟ ବକ୍ତ ବ୍ୟରେ ଭାରତୀୟ ଜ୍ଞାନ ପରମ୍ପରାରେ ସଂସ୍କୃତ ଭାଷାର ମହତ୍ତ୍ବ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ ନିଯୁକ୍ତି କ୍ଷେତ୍ରରେ ସଂସ୍କୃତ ଭାଷା ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବରେ ଡଃ ନିର୍ମଳ ସୁନ୍ଦର ମିଶ୍ର ଯୋଗଦାନ କରି ସ୍ବୀୟ ବକ୍ତବ୍ୟରେ ସଂସ୍କୃତ ଭାଷା ସମସ୍ତ ଜ୍ଞାନ ବିଜ୍ଞାନର ଭିତ୍ତିଭୂମି ଓ ଏହାର ପରିବ୍ୟାପ୍ତିତା ସୁଦୂରପ୍ରସାରୀ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅନ୍ୟତମ ଅତିଥି ଭାବରେ  ବିକାଶ ରଞ୍ଜନ ରଣା ଆଇ କ୍ୟୁ ଏ ସି ପ୍ରମୁଖ ଡଃ ଶିଶିର କୁମାର ସେଠୀ ଶିକ୍ଷାବିତ୍ ଡକ୍ଟର ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରି ସ୍ୱୀୟ ବ୍ୟକ୍ତବ୍ୟରେ ସଂସ୍କୃତ ସମ୍ଭାଷଣ କାର୍ଯ୍ୟକ୍ରମ ଶିକ୍ଷାର୍ଥୀମାନଙ୍କ ପାଇଁ ସଂସ୍କୃତ ଭାଷାକୁ ସହଜ,ସୁନ୍ଦର,ବୋଧଗମ୍ୟ କରି ଏହାର ସର୍ବ ଗ୍ରାହ୍ୟତାକୁ ସମ୍ପ୍ରସାରିତ କରି ପାରିଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମର ଆରମ୍ଭରେ ଢେଙ୍କାନାଳ ମହିଳା ମହବିଦ୍ୟାଳୟର ଅଧ୍ୟକ୍ଷା ସଂସ୍କୃତ ଉନ୍ମୁଖି କାର୍ଯକ୍ରମର ଶୁଭ ଉଦ୍ଘାଟନ କରିଥିଲେ ଓ ସ୍ବକୀୟ ଅଭିଭାଷଣ ରେ ସଂସ୍କୃତ ଭାଷାକୁ ଜନ ସମାଜର ଭାଷାରେ ପରିଣତ କରିବା ପାଇଁ ସମସ୍ତେ ବଦ୍ଧ ପରିକର ହେବା ବୋଲି ଦୃଢ଼ ଆହ୍ବାନ ଦେଇଥିଲେ । ଏହାପରେ ସଂସ୍କୃତ ବିଭାଗ ମୁଖ୍ୟ ଉଦ୍ଧବ ମଲ୍ଲିକ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସୁବିସ୍ତୃତ ବର୍ଣ୍ଣନା କରିଥିଲେ ।ଭୁବନେଶ୍ବର ମୁଦୁଲି ସଂସ୍କୃତ ଭାଷା ବିଶ୍ବର ଅଧିକାଂଶ ଭାଷାର ଜନନୀ ଓ ବିଶ୍ବର ସମସ୍ତ ଜ୍ଞାନର ଗନ୍ତାଘର ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ବିକାଶ ରଞ୍ଜନ ରଣା ସ୍ୱୀୟ ବ୍ୟକ୍ତବ୍ୟରେ ସଂସ୍କୃତର ପ୍ରାଚୀନତା ଏବଂ ସଂସ୍କୃତରେ ନିହିତ ଥିବା ଜ୍ଞାନ ରାଶିକୁ ସର୍ବ ଜନାଦୃତ କରିବା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ପ୍ରଥମ ଦିନର କାର୍ଯକ୍ରମରେ ସଂସ୍କୃତ ଅଧ୍ୟୟନ କେନ୍ଦ୍ରର ସଂଚାଳକ ତଥା ଶିକ୍ଷକ ରୂପେ ଅରିନ୍ଦମ୍ ପାରୁଇ ଧନ୍ୟବାଦ୍ ଅର୍ପଣ କରି କାର୍ଯକ୍ରମକୁ ଆଗକୁ ବଢାଇ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ସଂସ୍କୃତ ପ୍ରଦର୍ଶନୀ ଉତ୍ସବର ଶୁଭ ଉଦ୍ଘାଟନ କରାଇଥିଲେ।ଏହି ସଂସ୍କୃତ ପ୍ରଦର୍ଶନୀ ଉତ୍ସବରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସୁନ୍ଦର ପ୍ରତିକୃତି ନିର୍ମାଣ କରାଯାଇ ତାହାର ସଂସ୍କୃତ ନାମକରଣ କରା ଯାଇଥିଲା।

ଦ୍ବିତୀୟ ଦିନର ପ୍ରାରମ୍ଭରେ ସଂସ୍କୃତ ବିଭାଗ ମୁଖ୍ୟ ଉଦ୍ଧବ ମଲ୍ଲିକ,କେନ୍ଦ୍ରୀୟ ସଂସ୍କୃତ ବିଶ୍ବ ବିଦ୍ୟାଳୟ ସଦାଶିବ ପରିସରରୁ ଆସିଥିବା ସହକାରୀ ଅଧ୍ୟାପକ ରମାକାନ୍ତ ସା ଏବଂ ଆଦର୍ଶ ବିଦ୍ୟାଳୟ ବଲାଙ୍ଗୀରରୁ ଆସିଥିବା ସଂସ୍କୃତ ଶିକ୍ଷକ ତଥା ସଂସ୍କୃତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଡ.ମାନସ ରଞ୍ଜନ ସାହୁଙ୍କୁ ସ୍ବାଗତ କରିଥିଲେ। ଦ୍ବିତୀୟ ଦିନର ପ୍ରଥମ ଭାଗରେ ସହକାରୀ ଅଧ୍ୟାପକ ରମାକାନ୍ତି ସାଙ୍କ ଦ୍ବାରା ଗୀତ ମାଧ୍ଯମରେ ଏବଂ ଅଭିନୟ ମାଧ୍ୟମରେ ସଂସ୍କୃତ ଭାଷାର ପରିଚୟ ପ୍ରଦାନ କରାଯାଇଥିଲା ଏବଂ ଡକ୍ଟର ମାନସ ରଞ୍ଜନ ସାହୁଙ୍କ ଦ୍ବାରା ଆୟୋଜିତ ଭାଷା କ୍ରୀଡାରେ ଛାତ୍ରୀମାନେ ଅଂଶ ଗ୍ରହଣ କରି ବହୁତ ଉତ୍ସାହିତ ହୋଇଥିଲେ ପରେ ମହାବିଦ୍ୟାଳୟର ଛାତ୍ରୀ ଏବଂ ନିମନ୍ତ୍ରିତ ଅତିଥିମାନଙ୍କୁ ନେଇ ଏକ ସାମୁହିକ ଚର୍ଜା ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମର ସମାପନ ସଭାରେ ମହାବିଦ୍ୟାଳୟର ଅଧ୍ଯକ୍ଷା ତଥା ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଗଣ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମର ରସ ଅସ୍ଵାଦନ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜନ ହୋଇଥିବା ସଂସ୍କୃତ ନାଟକ, ସଂସ୍କୃତ ଗୀତ, ସଂସ୍କୃତ ରିଲ୍ସ ଏବଂ ସଂସ୍କୃତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥ‌ିବା ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ଅର୍ଚ୍ଚନା ବେହେରା, ଅଧ୍ୟାପକ ନେତ୍ରାନନ୍ଦ ମହାରଣା ସମସ୍ତ କାର୍ଯ୍ୟକ୍ରମର ସାମଗ୍ରିକ ସଫଳତାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଦେବସ୍ମିତା ପାଲୌର ସୁନ୍ଦର ବର୍ଣ୍ଣାଢ଼୍ୟ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର  ସଂଯୋଜନା କରିଥିଲେ ଯାହା ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇଥିଲା।ପରିଶେଷରେ ସଂସ୍କୃତ ଅଧ୍ୟୟନ କେନ୍ଦ୍ରର ସଂଚାଳକ ତଥା ଶିକ୍ଷକ ଅରିନ୍ଦମ ପାରୁଈଙ୍କ ଦ୍ବାରା ଧନ୍ୟବାଦ ଜ୍ଞାପନ ପୂର୍ବକ ଛାତ୍ରୀମାନଙ୍କ ଦ୍ବାରା ଶାନ୍ତିମନ୍ତ୍ର ପାଠ କରି କାର୍ଯ୍ୟକ୍ରମର ପରିସମାପ୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *