ମହାନଦୀ ଜଳ ବିବାଦ – ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ଦ୍ଵିତୀୟ ବୈଠକ

– ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରାଯିବ ଏବଂ କମିଟି ଛତିଶଗଡ ଯାଇ ସ୍ଥିତି ଅନୁଧ୍ୟାନ କରିବେ

– ସମାଧାନ ନିମନ୍ତେ ଗଠିତ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ବଢ଼ାଇବା ପାଇଁ ଆବେଦନ

– ଖୁବଶୀଘ୍ର ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଓ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୭/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହାନଦୀ ଜଳ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଆଜି ରାଜୀବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀମତୀ ସୋଫିଆ ଫିର୍ଦୋସ, ଆଡ଼ଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟଙ୍କ ସମେତ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ।

ଓଡ଼ିଶାର ସ୍ୱାର୍ଥକୁ ପ୍ରାଥମିକତା ଦେବା ସହ ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କମିଟି ଛତିଶଗଡ ସହ ଆପୋଷ ସମାଧାନ ଦିଗରେ ଆଲୋଚନା କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରାଯିବ ଏବଂ କମିଟି ଛତିଶଗଡ ଯାଇ ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବେ।ସମାଧାନ ନିମନ୍ତେ ଗଠିତ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସ ୧୩ ତାରିଖରେ ଶେଷ ହେଉଥିବାରୁ ଏହାର ଅବଧି ବୃଦ୍ଧି ପାଇଁ ଆବେଦନ କରାଯାଇଛି। ସୂଚନାଯୋଗ୍ୟ ଯେ, ଦୀର୍ଘ ନ’ ମାସ ଧରି ଟ୍ରିବ୍ୟୁନାଲର ଚେୟାରମ୍ୟାନ ପଦ ଖାଲି ପଡ଼ିଥିବାରୁ ଟ୍ରିବ୍ୟୁନାଲ କାର୍ଯ୍ୟରେ ଅଗ୍ରଗତି ହୋଇପାରି ନ ଥିଲା।

ଖୁବଶୀଘ୍ର ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଏକ ସର୍ବଦଳୀୟ ବୈଠକ ଡାକି ଏହି ପ୍ରସଙ୍ଗରେ ଆଲୋଚନା କରିବେ । ଏଥିରେ ସମସ୍ତ ଦଳର ପ୍ରତିନିଧି ମହାନଦୀ ଜଳ ବିବାଦର ସମାଧାନ ନେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିବେ। ଏଥିସହିତ, ମହାନଦୀ ସହ ଜଡିତ ପରିବେଶବିତ୍, ସାମାଜିକ କର୍ମୀମାନଙ୍କ ସହ ମଧ୍ୟ ଏକ ଆଲୋଚନା କରିବା ପାଇଁ ଯୋଜନା ରହିଛି। ସମାଧାନ ସହ ଅନ୍ୟାନ୍ୟ ବିକଳ୍ପ ବ୍ୟବସ୍ଥା ବାହାର କରିବାକୁ ମଧ୍ୟ ଆଲୋଚନା କରାଯାଇଛି।

ବୈଠକରେ ଉତ୍ତାରଞ୍ଚଳ ରାଜସ୍ବ କମିଶନର ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଓ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

-0-

ସୁଶ୍ରୀ ସଙ୍ଗୀତା ମହାରଣା,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *