ଭୁବନେଶ୍ୱର,୧୭/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗାଳ୍ପିକା ଭୁବନେଶ୍ବରୀ ପଣ୍ଡାଙ୍କ ଉପନ୍ୟାସ ‘ସନ୍ଦେହର ସଳିତା’ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ବିଧାନସଭା ପରିସରରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି, କଥାକାର ପ୍ରବୀଣା ମହାନ୍ତି, ପ୍ରକାଶକ ସରୋଜ ବଳ ଓ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ।
ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ, ‘ସନ୍ଦେହର ସଳିତା’ ଉପନ୍ୟାସଟି ସାଧାରଣ ଓ ସାବଲୀଳ ଭାଷାରେ ଲେଖାଯାଇଛି। ସାଧାରଣ ପାରିବାରିକ ଜୀବନର ଘଟଣାବଳୀକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରାଯିବା ସହ ଭାଗ ଭାଗ ହୋଇ ଲେଖାଯାଇଥିବାରୁ ପାଠକଙ୍କୁ ଛୁଇଁପାରିବ। ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଯୁବପିଢ଼ି ଏପରି ଉପନ୍ୟାସ ରଚନା କରିବା ଆବଶ୍ୟକ ବୋଲି ବାଚସ୍ପତି କହିଥିଲେ। ଅନ୍ୟ ଅତିଥିମାନେ ଉନ୍ମୋଚିତ ଉପନ୍ୟାସ ଉପରେ ସଂକ୍ଷିପ୍ତ ଆଲୋଚନା କରିଥିଲେ।
ଭୁବନେଶ୍ବରୀ ପଣ୍ଡାଙ୍କର ପୂର୍ବରୁ ପାଞ୍ଚଟି ଗଳ୍ପ ପୁସ୍ତକ ପ୍ରକାଶ ପାଇସାରିଛି। ସେଗୁଡ଼ିକ ହେଲା, ଜୀବନର ବାଟେଘାଟେ, ଜୀବନର ଚଉହଦି, ଏମିତି ଏ ଜୀବନ, ଜୀବନ କହୁଛି ଗପ ଓ ସିନ୍ଦୁର। ଆଜି ଉନ୍ମୋଚିତ ହୋଇଥିବା ‘ସନ୍ଦେହର ସଳିତା’ ତାଙ୍କର ପ୍ରଥମ ଉପନ୍ୟାସ। ଟାଇମ୍ ପାସ୍ ପକ୍ଷରୁ ଏହାକୁ ପ୍ରକାଶ କରାଯାଇଛି।
-0-
ବିଭୂତି ନାୟକ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
