ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ – ବିଏନଏସ୍ ୧୬୩ ଜାରି

୨୪ ଘଂଟା ଇଂଟରନେଟ୍ ବନ୍ଦ — ଶୁକ୍ରବାର ସହରର ସମସ୍ତ ସ୍କୁଲ, କଲେଜ ବନ୍ଦ
ସୁନ୍ଦରଗଡ଼, ୧୫/୦୧/୨୦୨୬(ଓଡ଼ିଶା ସମାଚାର)- ନ୍ଦରଗଡ଼ ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଗୋଷ୍ଠୀ ସଂଘର୍ଷ ପରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ବିଏନଏସ୍ ୧୬୩ ଜାରି କରାଯାଇଛି । ପଶ୍ଚିମାଂଚଳ ଡିଆଇଜି ବ୍ରିଜେଶ ରାୟ,ଏସପି ଅମ୍ରିତ ପାଲ କୌର, ଅତିରିକ୍ତ ଏସପି, ଡିଏସପି, ସମସ୍ତ ଥାନାର ଅଧିକାରୀ, ଅତିରିକ୍ତ ଜିଲାପାଳ ଅଭିମନ୍ୟୁ ମାଝୀ, ସୂରଜ କୁମାର ପଟ୍ଟନାୟକ, ସଦର ଉପଜିଲାପାଳ ତେଜସ୍ୱିନୀ ବେହେରାଙ୍କ ସମେତ ସ୍ୱତନ୍ତ୍ର ମାଜିଷ୍ଟ୍ରେଟଙ୍କ ସହ ୧୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ତେବେ ସଂଘର୍ଷ ବେଳେ ଏକ କାର୍, ସ୍କୁଟି ଏବଂ ଏକ ପିକଅପ ଭ୍ୟାନ ପୋଡି ଦେଇଥିବା ଜଣାପଡ଼ିଛି । ଘଟଣା ଘଟିଥିବା ରିଜେଣ୍ଟ ମାର୍କେଟ ସମେତ ସହର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ, ବସ୍ ଷ୍ଟାଣ୍ଡ, ମାର୍କେଟ ଓ ବିଭିନ୍ନ ଛକର ବ୍ୟାପକ ପୋଲିସ ରହିଛନ୍ତି । ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି । ଅପରାହ୍ନ ୫ଟାରୁ ସୁନ୍ଦରଗଡ ସହରରେ ବିଏନଏସ୍ ୧୬୩ ଜାରି ହୋଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଡିଆଇଜି ଗଣମାଧ୍ୟମକୁ କହିବା ସହ ସୁନ୍ଦରଗଡ ସହରରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ସୁନ୍ଦରଗଡ଼ ସହରରେ ଗୁରୁବାର ଘଟିଥିବା ଗୋଷ୍ଠୀ ସଂଘର୍ଷ ପରେ ସ୍ଥିତି ଗମ୍ଭୀର ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଜାନୁଆରୀ ୧୬ ଅର୍ଥାତ୍ ଶୁକ୍ରବାର ସୁନ୍ଦରଗଡ଼ ମୁନିସିପାଲିଟି ଅଂଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି । ସୁନ୍ଦରଗଡ଼ ଜିଲାପାଳ ଶୁଭଙ୍କର ମହାପାତ୍ର ଏହି ନିର୍ଦେଶନାମା ଜାରି କରିଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ରିଜେଣ୍ଟ ମାର୍କେଟ ଅଂଚଳରେ ଏକ ସାମାନ୍ୟ କଳିରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା ।

ଏହି ସଂଘର୍ଷରେ ପଥର ମାଡ଼ ସହ ଖଣ୍ଡାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ହିଂସାରେ ୪ ଜଣ ପୋଲିସ କର୍ମଚାରୀଙ୍କ ସମେତ ଅତିକମରେ ୧୨ ଜଣ ଆହତ ହୋଇଛନ୍ତି । ଉତ୍ୟକ୍ତ ଲୋକେ ଏକ କାର୍, ସ୍କୁଟି ଏବଂ ପିକଅପ୍ ଭ୍ୟାନକୁ ପୋଡ଼ି ଦେଇଥିବା ଜଣାପଡ଼ିଛି । ଗୁଜବକୁ ରୋକିବା ପାଇଁ ଗୁରୁବାର ସନ୍ଧ୍ୟା ୬ଟାରୁ ପରବର୍ତୀ ୨୪ ଘଂଟା ପାଇଁ ଇଂଟରନେଟ୍ ସେବା ବନ୍ଦ କରାଯାଇଛି । ସାରା ସହରରେ ବିଏନଏସ୍ ଧାରା ୧୬୩ (ପୂର୍ବରୁ ୧୪୪) ଜାରି କରାଯାଇ ପାଂଚ ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲଗାଯାଇଛି । ପଶ୍ଚିମାଂଚଳ ଡିଆଇଜି ବ୍ରିଜେଶ ରାୟ ଏବଂ ଏସପି ଅମ୍ରିତ ପାଲ କୌର ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ଖୁବଶୀଘ୍ର ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସହରବାସୀଙ୍କୁ ଶାନ୍ତି ରକ୍ଷା କରିବାକୁ ଏବଂ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ପ୍ରଶାସନ ନିବେଦନ କରିଛି ।

Leave a Reply

Your email address will not be published. Required fields are marked *