ପ୍ରୋତ୍ସାହନ ଓ ସୁଯୋଗ ମିଳିଲେ ସାଧାରଣ ପରିସ୍ଥିତିରୁ ଆସିଥିବା ଛାତ୍ରଛାତ୍ରୀମାନେ ମଧ୍ୟ  ଅସାଧାରଣ ସଫଳତା ହାସଲ କରିପାରିବେ : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ

            ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ପିଏମଶ୍ରୀ ବାଳିକା ସେବାଶ୍ରମ  ସ୍କୁଲ୍‌ ପରିଦର୍ଶନ

ଭୁବନେଶ୍ୱର,୧୫/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କନ୍ଧମାଳ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗତକାଲି ବୁଧବାର  ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ ନେଡିପଦର ସ୍ଥିତ  ପି.ଏମଶ୍ରୀ ବାଳିକା ସେବାଶ୍ରମ  ସ୍କୁଲ୍‌ ପରିଦର୍ଶନ କରିଥିଲେ ।  ମୁଖ୍ୟ ଶାସନ ସଚିବଙ୍କ ଏହି ବିଦ୍ୟାଳୟ ପରିଦର୍ଶନ ଛାତ୍ରୀମାନଙ୍କ ପାଇଁ ଏକ ଅଭୂଲା ଓ ପ୍ରେରଣାଦାୟକ ସ୍ମୃତି  ହୋଇ ରହିବ । ମୁଖ୍ୟ ଶାସନ ସଚିବ ବିଦ୍ୟାଳୟ ପରିଦର୍ଶନ ସମୟରେ ଆଦିବାସୀ ଛାତ୍ରୀମାନଙ୍କ ସହ  ଅତି ଆତ୍ମୀୟତାର ସହିତ କଥା ହୋଇଥିଲେ , ପାଠ ପଢାଇଥିଲେ ।  ସେମାନେ ଭବିଷ୍ୟତରେ କ’ଣ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ପଚାରିଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ଆଇନଜୀବୀ, କେହି କ୍ରୀଡ଼ାବିତ୍ ଆଉ କେହି ସିଭିଲ ସେବା ଅଧିକାରୀ ବା ପ୍ରଶାସନିକ ସେବା ଅଧିକାରୀ ହେବା ପାଇଁ  ଆକାଂକ୍ଷା ପ୍ରକାଶ କରିଥିଲେ । ସାମାଜିକ ଓ ଆର୍ଥିକ ପରିସ୍ଥିତି ସତ୍ତ୍ୱେ ଏହି ଛାତ୍ରୀମାନଙ୍କ ଆକାଂକ୍ଷା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।

             ମୁଖ୍ୟ ଶାସନ ସଚିବ ସେବାଶ୍ରମର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ପ୍ରୟାସ୍ ପ୍ଲସ୍‌ ଓ ଜ୍ଞାନ ସମୃଦ୍ଧି ପରି ଯୋଜନାଗୁଡ଼ିକ ଉପରେ ଆଲୋଚନା କରି, ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଫଳାଫଳରେ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ପରିଶେଷରେ ସେ ଛାତ୍ରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ, ଯାହାକି ଅତ୍ୟନ୍ତ  ସ୍ନେହଭରା ଓ ହୃଦୟସ୍ପର୍ଶୀ ଥିଲା  ।  ଏହି ପରିଦର୍ଶନ ସମୟରେ  କନ୍ଧମାଳ ଜିଲ୍ଲାପାଳ  ଏବଂ ଉପ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।

          ପ୍ରୋତ୍ସାହନ ଓ ସୁଯୋଗ ମିଳିଲେ ସାଧାରଣ ପରିସ୍ଥିତିରୁ ଆସୁଥିବା ଛାତ୍ରଛାତ୍ରୀମାନେ  ଯେ ଅସାଧାରଣ ସଫଳତା ହାସଲ କରିପାରନ୍ତି ଏବଂ ସେମାନଙ୍କର ସ୍ୱପ୍ନ  ସାକାର ହୋଇପାରେ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କ ଜନଜାତି ଛାତ୍ରଛାତ୍ରୀମାନଙ୍କ ସହ ଏହି ସାକ୍ଷାତ ଆଲୋଚନା , ସେମାନଙ୍କ ସହିତ ସମୟ ଅତିବାହିତ କରିବା, ଭୋଜନ କରିବା  ଓ ପ୍ରେରଣା ଦେବା,  କୋମଳମତି ଛାତ୍ରୀମାନଙ୍କ  ମନୋବଳକୁ  ନିଶ୍ଚିତ ଭାବେ ଦୃଢ କରିଥିବ ।

-0-

 ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *