ପଠାଣି ସାମନ୍ତ ପ୍ଲାନେଟାରିୟମର ଉନ୍ନତିକରଣ , ନବୀକରଣ ପାଇଁ ହେଲା ବୁଝାମଣା

ଭୁବନେଶ୍ୱର,୧୫/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ରାଜ୍ୟର ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଏବଂ ମହାକାଶ ବିଜ୍ଞାନକୁ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ନିଭାଉଥିବା ପଠାଣି ସାମନ୍ତ ପ୍ଲାନେଟାରିୟମର ନବୀକରଣ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ୧୯୯୦ ମସିହାରୁ ଜନସାଧାରଣ ମାନଙ୍କ ଉତ୍ସର୍ଗୀକୃତ ଏହି ପ୍ଲାନେଟାରିୟମର ଆଧୁନିକୀକରଣ ତଥା ଏହାର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ କୋଲକାତାସ୍ଥିତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ବିର୍ଲା ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ଟେକ୍ନୋଲୋଜି ମ୍ୟୁଜିୟମ (ବିଆଇଟିଏମ) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ଲୋକସେବା ଭବନସ୍ଥିତ ଉନ୍ନୟନ କମିଶନରଙ୍କ ସମ୍ମିଳନୀ କକ୍ଷରେ ପ୍ଲାନେଟାରିୟମ ନିର୍ଦ୍ଦେଶିକା ଶ୍ରୀମତୀ ଉର୍ମିପ୍ରଭା ମହାରଣା ଏବଂ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅନ୍ତର୍ଗତ ନ୍ୟାସନାଲ କାଉନସିଲ ଅଫ ସାଇନ୍ସ ମ୍ୟୁଜିୟମସ୍  ଅଧିନସ୍ଥ ବିର୍ଲା ଇଣ୍ଡଷ୍ଟ୍ରିଆଲ ଏଣ୍ଡ ଟେକ୍ନୋଲୋଜିକାଲ  ମ୍ୟୁଜିୟମ୍ (ବିଆଇଟିଏମ୍)ର ନିର୍ଦ୍ଦେଶକ ଶ୍ରୀ ଅର୍ଣ୍ଣବ ଚାଟାର୍ଜୀଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଖୁବଶୀଘ୍ର ଏକ ବୈଷୟିକ ଦଳ ଆସି  ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଚାଟାର୍ଜୀ ସୂଚନା ଦେଇଥିଲେ ।

​ଏହି ଅବସରରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ଯୋଗଦେଇ ବିଜ୍ଞାନ ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ନିଜେ ଜଣେ ପଦାର୍ଥ ବିଜ୍ଞାନର ଛାତ୍ର ଭାବେ ବିଜ୍ଞାନ ପ୍ରତି ଥିବା ତାଙ୍କ ରୁଚି ଓ ଅନୁଭୂତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହାର ନବୀକରଣ ପାଇଁ ସମସ୍ତ ସହଯୋଗ ପ୍ରଦାନ କରାଯିବ ଓ ଏହି ଅନୁଷ୍ଠାନ ଆଗାମୀ ଦିନରେ ରାଜ୍ୟରେ ପଠାଣି ସାମନ୍ତ ସୃଷ୍ଟି କରିବାରେ ସହାୟକ ହେବ ବୋଲି କହିଥିଲେ । ସେହିଭଳି ଉପସ୍ଥିତ ରହି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ନବୀକରଣ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ ।  ଏହି ନବୀକରଣ କାର୍ଯ୍ୟ ଦ୍ୱାରା ରାଜ୍ୟର ଛାତ୍ରଛାତ୍ରୀ ଏବଂ ସାଧାରଣ ବ୍ୟକ୍ତି ବିଶେଷ ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ ଏବଂ ମହାକାଶ ବିଜ୍ଞାନ ବିଷୟରେ ଅଧିକ ଉନ୍ନତ ତଥା ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ବିଭିନ୍ନ ତଥ୍ୟ ଜାଣିପାରିବାର ସୁଯୋଗ ପାଇବେ ।

ଏହି ଅବସରରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ଇଡ଼କୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଡ଼ି. ପ୍ରଶାନ୍ତ କୁମାର ରେଡ୍ଡୀ, ଯୋଜନା ଓ ସଂଯୋଜନ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବେନ୍ଦ୍ର କୁମାର ଜେନା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ଶ୍ରୀମତୀ ପୂଜା ମିଶ୍ର, ଶ୍ରୀମତୀ ବିଦ୍ୟୁତପ୍ରଭା ରାଉତ, ଶ୍ରୀ ପଦ୍ମ ଲୋଚନ ଦାସ, ଉପ ଶାସନ ସଚିବ ଶ୍ରୀମତୀ ଚିନ୍ମୟୀ ଚେତନା ଦାସ, ଜୈବ ପ୍ରଯୁକ୍ତିବିଦ୍ୟା ଉପନିର୍ଦ୍ଦେଶକ ଶ୍ରୀ ଶଶିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

-0-

ଲିଜାରାଣୀ ନାୟକ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *