ଭୁବନ, ୧୪/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଞ୍ଚାୟତ ର ବ୍ରହ୍ମକୁଣ୍ଡ ଠାରେ ପ୍ରସିଦ୍ଧ ମକର ମେଳା ଓ ଟୁସୁ ପର୍ବ ପାଳିତ ହୋଇଯାଇଛି। ଆଞ୍ଚଳିକ ମକର ମେଳା ସମିତି ସଭାପତି ଅବସର ପ୍ରାପ୍ତ ପ୍ରଧାନ ଅଧ୍ୟାପକ ଡମ୍ବରୁ ଧର ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇମ୍ଫା ମାଇନ୍ସ ମ୍ୟାନେଜର ଯୁଧିଷ୍ଠିର ମହନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁସୁ ଦେବୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ମକର ମେଳା ଓ ଟୁସୁ ପର୍ବ କୁ ଉଦଘାଟନ କରିଥିଲେ ।
ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳକଣ୍ଠ ମହନ୍ତ,ମୁଖ୍ୟ ବକ୍ତା ଭାବେ ଲକ୍ଷ୍ମୀଧର ମହାନ୍ତ,ସମ୍ମାନିତ ଅତିଥି ଭାବେ ଓଡିଶ ସରପଞ୍ଚ ମୋହନ ମହାନ୍ତ ,ସମିତି ସଭ୍ୟ ତ୍ରିଲୋଚନ ମହନ୍ତ,ଦୟାନିଧି ମହାନ୍ତ ଯୋଗଦେଇ ଆଦିବାସୀ ଙ୍କ ମହାନ୍ ପରମ୍ପରା ସଂପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ ସ୍ଥାନରୁ ୨୫ ରୁ ଉର୍ଦ୍ଧ୍ବ ଟୁସୁ ଦେବୀ ଙ୍କ ମେଢ଼ କୁ ଧରି ବାଦ୍ୟ ର ତାଳେ ତାଳେ ନୃତ୍ୟ କରି ସହସ୍ରାଧିକ ମହିଳା,ପୁରୁଷ ପହଞ୍ଚିଥିଲେ । କମିଟି ସଦସ୍ୟ ମହେଶ୍ୱର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଆଖପାଖ ଅଞ୍ଚଳର କୁନି କୁନି ପିଲାମାନେ ଝୁମର ନୃତ୍ୟ ପରିବେଷଣ କରିଥିଲେ ।
ପାଖାପାଖି ୨୫ ରୁ ଉର୍ଦ୍ଧ ଟୁସୁ ମେଳଣ ସାମିଲ ହୋଇଥିବା ବେଳେ ପ୍ରଥମ, ଦ୍ଵିତୀୟ ଓ ତୃତୀୟଙ୍କୁ ୩ହଜାର, ୨ହଜାର ଓ ୧୫ଶହ ଲେଖାଏଁ ଟଙ୍କା ପୁରସ୍କୃତ କରାଯାଇଥିଲା । ସେହିପରି ଝୁମର ନୃତ୍ୟରେ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିବା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବ୍ରହ୍ମକୁଣ୍ଡ ଗୁମ୍ଫାରେ ପୂଜାର୍ଚନା କରାଯାଇ ଶ୍ରଦ୍ଧାଳୁ ଭକ୍ତ ଙ୍କ ପାଇଁ ଖେଚୁଡ଼ି ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ଭୁବନ ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଥିଲା ।

