ଜଗତସିଂହପୁର,୧୦/୦୧/୨୦୨୫ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲା ତଥା ସମଗ୍ର ଓଡ଼ିଶାରେ ପ୍ରଥମ କରି ପାଠାଗାର ପାଇଁ ଉତ୍ସର୍ଗିକୃତ “ପ୍ରଜ୍ଞାନ” ନାମକ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ କହିଲେ ଶିକ୍ଷା, ସଂସ୍କୃତି ରେ ଜଗତସିଂହପୁର ଜିଲ୍ଲା ସମଗ୍ର ଓଡ଼ିଶାରେ ଏକ ଆଗୁଆ ଜିଲ୍ଲା। ପାଠାଗାର ମାଧ୍ୟମରେ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜିବିତ କରି ରଖିବା ପାଇଁ “ପ୍ରଜ୍ଞାନ”ର ଲକ୍ଷ୍ୟ । ଏହା ମାଧ୍ୟମରେ ବିଦ୍ୟାଳୟ ଶିକ୍ଷାରେ ପଠନ ଓ ଲିଖନ ନିମନ୍ତେ ଏକ ଦୃଢ ଭିତ୍ତିଭୂମି ସ୍ଥାପନ ହୋଇପାରିବ । ଛାତ୍ରଛାତ୍ରୀମାନଙ୍କର ପଠନ କୌଶଳ ବୃଦ୍ଧି କରିବା ସହିତ ବାହ୍ୟ ଜଗତ ସମ୍ବନ୍ଧୀୟ ବିଭିନ୍ନ ଜ୍ଞାନ ଆହରଣ କରିବାରେ ସହାୟକ ହେବ । “ପ୍ରଜ୍ଞାନ” ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳ ତଥା ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସମ୍ବନ୍ଧରେ ଜାଣିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ପାଇପାରିବ । ପ୍ରତ୍ୟେକ ବିଦ୍ୟାଳୟରେ ପାଠାଗାରଗୁଡିକ କ୍ରୀୟାଶୀଳ ହେବା ସହ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ରହିବ । ବିଦ୍ୟାଳୟ ଗୁଡିକରେ ଅତିରିକ୍ତ ଶ୍ରେଣୀଗୃହ ବୃଦ୍ଧି କରାଯିବ । ବିଦ୍ୟାଳୟ ଗୁଡିକର କଣ୍ଟିଜେନ୍ସ ଅର୍ଥରୁ କିଛି ଅର୍ଥ ବାହାର କରି ପୁସ୍ତକ କ୍ରୟ କରାଯିବ । ଆଗାମୀ ଦିନରେ ଜିଲ୍ଲାର ପ୍ରତି ପଞ୍ଚାୟତରେ ପାଠାଗାର ସ୍ଥାପନ ସହ ପ୍ରତି ବ୍ଲକ ଓ ପୌର ପରିଷଦ ମଧ୍ୟରେ ଇ-ଲାଇବ୍ରେରୀ ଖୋଲାଯିବା ପାଇଁ ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଯୋଗଦେଇ କହିଲେ ଜ୍ଞାନକୁ ଅନ୍ୱେଷଣ କରିବା ହେଉଛି “ପ୍ରଜ୍ଞାନ”ର ଲକ୍ଷ୍ୟ । ଯୁବପିଢିମାନଙ୍କ ମଧ୍ୟରେ ପଠନର ସ୍ପୃହା ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଓଡିଶାର କଳା, ସଂସ୍କୃତି, ସାହିତ୍ୟକୁ ଉଜ୍ଜୀବିତ କରି ରଖିବା ପାଇଁ “ପ୍ରଜ୍ଞାନ”ମାଧ୍ୟମରେ ଯେଉଁ ପ୍ରୟାସ କରାଯାଉଛି ତାହାର ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର କହିଲେ ସମାଜର ପରିବର୍ତ୍ତନ ହେବାକୁ ହେଲେ ଜ୍ଞାନର ଆବଶ୍ୟକତା ରହିଅଛି । ବିଭିନ୍ନ ବହି ପଢିଲେ ଅଧିକରୁ ଅଧିକ ଜ୍ଞାନ ଆହରଣ ହୋଇଥାଏ । ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ପ୍ରଜ୍ଞାନ” ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ସାହୁ ଯୋଗଦେଇ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କହିଲେ ଯେ, ପ୍ରଜ୍ଞାନ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ମାନସ ସନ୍ତାନ ଏବଂ ପାଠାଗାର ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ତଥା ବଳିଷ୍ଠ ପଦକ୍ଷେପ । ପାଠାଗାର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ପଠନ, ଲିଖନ ଓ ଚିନ୍ତନଶୀଳତାର ଅଭିବୃଦ୍ଧି ହେବା ଦ୍ଵାରା ସେମାନେ ଜୀବନବ୍ୟାପି ଶିକ୍ଷଣ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ “ପ୍ରଜ୍ଞାନ” କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିବା ସହିତ ପ୍ରଜ୍ଞାନ ସମ୍ପର୍କୀୟ ଏକ କ୍ଷୁଦ୍ର ପୁସ୍ତିକାକୁ ଉନ୍ମୋଚନ କରିଥିଲେ ।ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଜୀବନ କୁମାର ସାହୁ ସଭା ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ମୁଖ୍ୟ ବିକାଶ- ତଥା-ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ସି. ଆର. ସି ମାନେ, ବୃଦ୍ଧିଜୀବୀ, ଶିକ୍ଷକ, ଶିକ୍ଷୟତ୍ରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଶିକ୍ଷl ବିଭାଗର ଶ୍ରୀ ଶୁଭେନ୍ଦୁ ବରାଳ, ଶ୍ରୀ ତପନ କୁମାର ନନ୍ଦ, ଶ୍ରୀ ପଦରାଜ ଉମାକାନ୍ତ ନାୟକ, ସୁମିତ୍ରା ମଲ୍ଲିକ, ପ୍ରାଚୀ ପୂର୍ଣ୍ଣତୋୟା ପଟ୍ଟନାୟକ, ଚନ୍ଦ୍ରଜିତ୍ ପରିଜା, ସଚ୍ଚିଦାନନ୍ଦ ସାହୁ ସହଯୋଗ କରିଥିଲେ ।