ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୬ ପାଳିତ

ଯାଜପୁର,୧୩/୦୧/୨୦୨୬ (ଓଡ଼ିଶା ସମାଚାର)- ଜଳସମ୍ପଦ ବିଭାଗ ପକ୍ଷରୁ ଯାଜପୁର ବ୍ୟାସନଗର ସ୍ଥିତ ଟାଉନ ହଲ ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୬ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା, ସମ୍ମାନିତ ଅତିଥି ଭାବେ କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଣବ କୁମାର ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତପନ ମହାପାତ୍ର, ଯାଜପୁର ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳାଇ, ଜାରକା ଅଧିକ୍ଷଣ ଯନ୍ତ୍ରୀ ଶିଶିର କୁମାର ଦାସ ଯୋଗ ଦେଇଥିଲେ। ମାନ୍ୟବର ସାଂସଦ ଡ଼ା. ବେହେରା କହିଥିଲେ ଯେ କୃଷିର ବିକାଶରେ ପାଣି ପଞ୍ଚାୟତର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ।

  ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ନଦୀ ସଂଯୋଗୀକରଣ ଉପରେ ଯୋଜନା କରିଥିଲେ। ଯାଜପୁରର ନଦୀଗୁଡ଼ିକରେ ବ୍ୟାରେଜ ନିର୍ମାଣ ସହ ଜାତୀୟ ଜଳପଥ-୫ କୁ ସଂଯୋଗ କରିବା ପାଇଁ ସରକାର ଯୋଜନା କରୁଛନ୍ତି ଏବଂ ଏହା ଆଗାମୀ ଦିନରେ କାର୍ଯ୍ୟକାରୀ ହେବ। ଏହାସହ ବ୍ରିଟିଶ ଅମଳର କେନାଲଗୁଡ଼ିକୁ ପୁନରୁଦ୍ଧାର କରି ଜଳସେଚନ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ସାଂସଦ କହିଥିଲେ। ଆଣ୍ଡାମାନ ନିକୋବାରରେ ଜଳର ସୁପରିଚାଳନାର ଉଦାହରଣ ଦେଇ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ସାଂସଦ ଡ଼ା. ବେହେରା ଗୁରୁତ୍ବ ଦେଇଥିଲେ।

କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ ପାଣି ପଞ୍ଚାୟତର ଆବଶ୍ୟକତା ସମ୍ପର୍କରେ ବୁଝାଇବା ସହ ରେଙ୍ଗାଲି କେନାଲ କାର୍ଯ୍ୟକାରୀ ହେବା ପରେ କୋରେଇର ଏକ ବୃହତ ଅଞ୍ଚଳ ଲାଭବାନ ହେବ ବୋଲି କହିଥିଲେ। ଏହାସହ ଆଗକୁ ପ୍ରାୟ ୩୦୦ କୋଟି ଟଙ୍କାର ଟେଣ୍ଡର ହେବା ପାଇଁ ଯାଉଛି, ଯାହା ଦ୍ଵାରା କୋରେଇ ଏବଂ ଘସିପୁରା ଅଞ୍ଚଳବାସୀ ଜଳସେଚନ ସୁବିଧା ପାଇବେ। ବାର ମାସ ଅର୍ଥକାରୀ ଫସଲ ଉତ୍ପାଦନ କରି ଚାଷୀ ମାନେ କିଭଳି ଜଣେ ବ୍ୟବସାୟୀ ଏବଂ କୃଷି ଉଦ୍ୟୋଗୀ ହୋଇପାରିବେ, ସେ ଉପରେ ବିଧାୟକ ଗୁରୁତ୍ବ ଦେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଣି ପଞ୍ଚାୟତର ସଚେତନତା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜଳ, ମୃତ୍ତିକା ଭଳି ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ସୁପରିଚାଳନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପାଣିର ଅଭାବକୁ ଦୂର କରି ସଠିକ୍ ବିନିଯୋଗ କରିବା ପାଇଁ ଜିଲ୍ଲାରେ  ପାଣି ପଞ୍ଚାୟତମାନ ଗଠନ କରାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନା ପାଣି ପଞ୍ଚାୟତ ଦ୍ଵାରା କିଭଳି କୃଷିର ବିକାଶ ହେଉଅଛି, ସେ ସମ୍ପର୍କରେ ବୁଝାଇଥିଲେ। ସେହିଭଳି ମଞ୍ଚାସୀନ ଅତିଥିମାନେ ପାଣି ପଞ୍ଚାୟତର ଗୁରୁତ୍ଵ ଏବଂ କାର୍ଯ୍ୟକାରିତା ଉପରେ ସୁଚିନ୍ତିତ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ବରିଷ୍ଠ କୃଷି ବୈଜ୍ଞାନିକ ସୁନିଲ ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ମହାନ୍ତି, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ସୁଧାଂଶୁ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ବିପିନ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଟାଉନ୍ ହଲ୍ ପରିସରରେ ମତ୍ସ୍ୟ ସମ୍ପଦ, ଆଗ୍ରୋ ଇଣ୍ଡଷ୍ଟ୍ରିଜ, କୃଷି ବିଭାଗ, ଉଦ୍ୟାନ ବିଭାଗ, ଉଠା ଜଳସେଚନ ବିଭାଗ, ବୃହତ୍ ଉଠା ଜଳସେଚନ ସମ୍ବନ୍ଧୀୟ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ପାଣି ପଞ୍ଚାୟତ ପକ୍ଷ ପାଳନରେ ଜିଲ୍ଲାର ବିଭିନ୍ନ ପାଣି ପଞ୍ଚାୟତର ସଭାପତି, ସଦସ୍ୟ, ଚାଷୀ ଭାଇ ଭଉଣୀ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପାଣି ପଞ୍ଚାୟତ ସମ୍ପାଦକ ନଳିନୀକାନ୍ତ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *