ତୃଣକ ପରିଚାଳନା ଓ କୃଷି ପାଣିପାଗ ସମ୍ବନ୍ଧୀୟ ସଚେତନତା ଶିବିର

ଜଗତସିଂହପୁର,୧୩/୦୧/୨୦୨୬ (ଓଡ଼ିଶା ସମାଚାର)-୧୩.୦୧.୨୦୨୬ ରିଖରେ ସର୍ବଭାରତୀୟ ସମନ୍ଵିତ କୃଷି ଜଳବାୟୁ ପ୍ରକଳ୍ପ,ସର୍ବଭାରତୀୟ ସମନ୍ଵିତ ତୃଣକ ପରିଚାଳନା ଗବେଷଣା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ମିଳିତ ପ୍ରୟାସରେ ସଂପ୍ରତି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ବ୍ଲକର ବାଗୋଇ ଗ୍ରାମରେ ଅନୁସୂଚିତ ଜାତି ଉପଯୋଜନା ଆନୁକୁଲ୍ୟରେ ଏକ କୃଷକ ସଚେତନତା ଶିବିର ତଥା କୃଷି ସାମଗ୍ରୀ ବିତରଣ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମର ୭୦ଜଣ ଅନୁସୂଚିତ ଜାତିର କୃଷକ ଓ କୃଷି ମହିଳା ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ଼ ଜୀବନଜିତ୍ ସେନ୍ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓ.ୟୁ.ଏ.ଟି କୃଷି ପାଣିପାଗ ପ୍ରକଳ୍ପ ର ମୁଖ୍ୟ ପ୍ରଫେସର୍ ଡ଼ ତୁଷାର ରଞ୍ଜନ ମହାନ୍ତି,କୃଷି କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ତଥା ଏହାର ସଫଳ ମୁକାବିଲା ପାଇଁ ଓ.ୟୁ.ଏ.ଟି ଦ୍ଵାରା ଜାରି କରାଯାଉଥିବା ସାପ୍ତାହିକ ପାଣିପାଗ ଭିତ୍ତିକ କୃଷି ପରାମର୍ଶକୁ ଗ୍ରହଣ କରି ଚାଷକାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅଖିଳ ଭାରତୀୟ ସମନ୍ଵିତ ତୃଣକ ପରିଚାଳନା ଗବେଷଣା ପ୍ରକଳ୍ପ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ମୁଖ୍ୟ ବୈଜ୍ଞାନିକ ଡ଼ ମହମ୍ମଦ ଅବଦୁଲ ଆଲିମ୍ ଉଦବୋଧନ ଦେଇ କହିଥିଲେ ଯେ ଧାନ ଚାଷରେ ଘାସ ହେଉଛି ଉତ୍ପାଦନ କମିବାର ଏକ ପ୍ରମୁଖ କାରଣ।ସେ କହିଥିଲେ ଯେ ଉଚିତ୍ ସମୟରେ ଓ ଉଚିତ୍ ମାତ୍ରାରେ ଖରପତ୍ରନାଶକ ପ୍ରୟୋଗ କରାଯାଏ, ତେବେ ଧାନ ଉତ୍ପାଦନ ୨୦ ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଡ଼ ଆଲିମ୍ ଧାନ ଚାଷରେ ଧାନ ରୋଇବାର ୩ ରୁ ୫ ଦିନ ମଧ୍ୟରେ ପେଣ୍ଡିମେଥାଲିନ୍ ୩୦ ଇ.ସି ଓ ୨୦-୨୫ ଦିନ ମଧ୍ୟରେ ଫେନୋକ୍ସାପ୍ରପ ଇଥାଇଲ୍ ସିଞ୍ଚନ କରିବାପାଇଁ ଉଲ୍ଲେଖ କରିଥିଲେ।

ତୃଣ ନାଶକ ପ୍ରୟୋଗ ସମ୍ବନ୍ଧରେ ଉପଯୁକ୍ତ ମାତ୍ରା ଓ ସମୟ ଜାଣିବା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ କିମ୍ବା କୃଷି କାର୍ଯ୍ୟାଳୟର ଅଧିକାରୀମାନଙ୍କ ଠାରୁ ପରାମର୍ଶ ନେଇପାରିବେ।ଓ.ୟୁ.ଏ.ଟି ଗ୍ରାମୀଣ କୃଷି ମୌସମ ସେବାର ବୈଜ୍ଞାନିକ ଚିନ୍ମୟ କୁମାର ସାହୁ,ଓ.ୟୁ.ଏ.ଟି ଦ୍ଵାରା ଜାରି କରାଯାଉଥିବା କୃଷି ପାଣିପାଗ ସେବା ଉପରେ ଆଲୋକପାତ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ଗୃହବିଜ୍ଞାନୀ ଶ୍ରୀମତୀ ସସ୍ମିତା ପୁରୋହିତ କୃଷି ମହିଳା ମାନଙ୍କୁ ଉଦବୋଧନ କରିବା ସହ ସେମାନେ କିପରି ଚାଷ କାର୍ଯ୍ୟରେ ଲାଭବାନ ହେଇପାରିବେ,ସେଥିପ୍ରତି ଆଲୋଚନା କରିଥିଲେ। ଓ.ୟୁ.ଏ.ଟିର କୃଷି ପାଣିପାଗ ନିରୀକ୍ଷକ ଗୌରଶଙ୍କର ପାଣିଗ୍ରାହୀ ଏବଂ କୃଷି ଓଭର୍ଶିଅର୍ ଅରୁଣ ସାହୁ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସର୍ବଶେଷରେ ଉକ୍ତ ଅଞ୍ଚଳର ସରପଞ୍ଚ ଶ୍ରୀମତୀ ପ୍ରଭାଞ୍ଜଳି ସେଠୀ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରି ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କୃଷି ଯନ୍ତ୍ରପାତି, ସଚେତନତା ପତ୍ରିକା ଓ ଉନ୍ନତ ଗୁଣମାନର ଗୁଆଚାରା ବିତରଣ କରିଥିଲେ। ଗ୍ରାମବାସୀମାନେ ଏପରି କାର୍ଯ୍ୟକ୍ରମ ଦ୍ଵାରା ନୂତନ କୃଷି ପ୍ରଯୁକ୍ତି ସମ୍ପକରେ ଜ୍ଞାନ ଲାଭ କରିଥିବାରୁ ଓ.ୟୁ.ଏ.ଟି ଓ ସଂପୃକ୍ତ ପ୍ରକଳ୍ପକୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ଦ୍ଵାରା ଅନୁସୂଚିତ ଜାତି କୃଷକ ମାନଙ୍କ ଆର୍ଥିକ ସ୍ଥିତି ସୃଦୃଢ଼ ହେବ ବୋଲି ଆଶା ପ୍ରକାଶ କରିଥିଲେ। ପରିଶେଷରେ ଉକ୍ତ ଗ୍ରାମର ଉମେଶ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *