ଅଙ୍କିତା ଭଣ୍ଡାରୀକୁ ନ୍ୟାୟ ଦାବିରେ ଭୁବନେଶ୍ୱରରେ ବିକ୍ଷୋଭ କରିଛି ଏଆଇଏମ୍ଏସ୍ଏସ୍ 

ଭୁବନେଶ୍ୱର,୧୧/୦୧/୨୦୨୬ (ଓଡ଼ିଶା ସମାଚାର)- ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀଙ୍କ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ କରି  ଜଡିତ ଭିଆଇପି ସହିତ ସମସ୍ତ ଅପରାଧୀଙ୍କୁ କଠୋର ରୁ କଠୋରତମ ଦଣ୍ଡ ଦାବି କରି ରାଜରାସ୍ତାକୁ ଓହ୍ଲାଇଛି ଏଆଇଏମ୍ଏସ୍ଏସ୍। ନ୍ୟାୟ ପାଇଁ ଲଢେଇ କରୁଥିବା ଉତ୍ତରାଖଣ୍ଡର  ସଂଗ୍ରାମୀ ଜନତା ଓ ପୀଡ଼ିତାଙ୍କ ପିତାମାତାଙ୍କ ପ୍ରତି  ସଙ୍ଘତି ଜ୍ଞାପନ କରିଛି ସଙ୍ଗଠନ। ଆଜି ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ପ୍ରତିବାଦ ବିକ୍ଷୋଭରେ ସାମିଲ ହୋଇଛନ୍ତି ଶତାଧିକ ମହିଳା।

ପ୍ରକାଶ ଥାଉ କି ୨୦୨୨ ମସିହାରେ ଉତ୍ତରାଖଣ୍ଡର ରିଷିକେସରେ ଅବସ୍ଥିତ ବନନ୍ତ୍ରା  ରିସୋର୍ଟରେ ରିସିପ୍ସନିଷ୍ଟ ଭାବରେ କାର୍ଯ୍ୟ କରୁଥିବା ଅଙ୍କିତା ରିସୋର୍ଟକୁ ଆସିଥିବା  ଭିଆଇପି ସହିତ ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ  ତାଙ୍କୁ ଅତି ଜଘନ୍ୟ ଭାବରେ ଧର୍ଷଣ ଓ ହତ୍ୟା କରାଯାଇଥିଲା। ସେତେବେଳେ ସାଧାରଣ ଜନତାଙ୍କ ଆନ୍ଦୋଳନ ଫଳରେ ଦୋଷୀଙ୍କୁ ଗିରଫ କରି  ଜେଲରେ ରଖାଯାଇଥିଲା।

ମାତ୍ର ଏହି କେସରେ ଜଣେ ଭିଆଇପିଙ୍କର ସମ୍ପୃକ୍ତି ରହସ୍ୟମୟ ହୋଇ ରହି ଯାଇଥିଲା। କିନ୍ତୁ ୩ ବର୍ଷ ପରେ ଏହି ଭିଆଇପିଙ୍କ ପରିଚୟ ସାମ୍ନାକୁ ଆସିଲା ପରେ ଏହି କେସକୁ ପୁନଶ୍ଚ ଖୋଲିବା ପାଇଁ ଜନସାଧାରଣ ଦାବି କରୁଛନ୍ତି। ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନର ସର୍ବଭାରତୀୟ ସାଧାରଣ ସମ୍ପାଦିକା ଛବି ମହାନ୍ତି ଏହି ଘଟଣାର ପୁନଃ ତଦନ୍ତ ହେବା ଓ ଦୋଷୀ ସାବ୍ୟସ୍ତ ହେଲେ ଏହି ଭିଆଇପି କୁ ଦଣ୍ଡ ନ ମିଳିବା ପର୍ଯ୍ୟନ୍ତ ସଙ୍ଗଠିତ ଲଢେଇ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି।

ଏଆଇଏମ୍ଏସ୍ଏସ୍ ର ରାଜ୍ୟ ସଭାନେତ୍ରୀ ସ୍ବୟଂପ୍ରଭା ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରାଜ୍ୟ ସମ୍ପାଦିକା ସରୋଜିନୀ ନାୟକଙ୍କ ସମେତ ରାଜ୍ୟ ନେତୃ ମଣ୍ଡଳୀ ଓ ସାଧାରଣ ମହିଳାମାନେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *