ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ

— ଦେଶ ବିଦେଶରୁ ଯୋଗ ଦେଇଛନ୍ତି ପ୍ରାୟ ୧୭୦୦ ରୁ ଉର୍ଦ୍ଧ୍ବ ବୌଦ୍ଧ ଗୁରୁ ଓ ଧର୍ମାବଲମ୍ବୀ

— ବିଶିଷ୍ଟ ଗବେଷକ, ଧର୍ମ ଗୁରୁ ଓ ଐତିହାସିକଙ୍କୁ ନେଇ ହେବ ଆଲୋଚନା ଚକ୍ର

— ଭାରତର ଭବିଷ୍ୟତ ଯୁଦ୍ଧରେ ନୁହେଁ, ବରଂ ବୁଦ୍ଧ ମାର୍ଗରେ ଅଛି: ସାଂସଦ, ଯାଜପୁର

— ଲାଇଟ ଅଫ୍ ବୁଦ୍ଧ ଫାଉଣ୍ଡେସନ, ଓଡ଼ିଶା ପର୍ଯ୍ୟଟନ ବିଭାଗ, ସଂସ୍କୃତି ବିଭାଗ ଓ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ହେଉଛି ସମ୍ମିଳନୀ

ଯାଜପୁର,୧୧/୦୧/୨୦୨୬ (ଓଡ଼ିଶା ସମାଚାର)-  ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଯାଜପୁର ଜିଲ୍ଲାର ଉଦୟଗିରି ବୌଦ୍ଧ ସ୍ଥଳଠାରେ ଦ୍ଵିତୀୟ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ ହୋଇଛି। ଜାନୁଆରୀ ୧୧ ରୁ ୧୬ ତାରିଖ ଯାଏଁ ହେଉଥିବା ଏହି ବୌଦ୍ଧ ସମ୍ମିଳନୀରେ ଦେଶର ବିଭିନ୍ନ ବୌଦ୍ଧ ମଠ ତଥା ଦେଶ ବାହାରୁ ପ୍ରାୟ ୧୭୦୦ ରୁ ଉର୍ଦ୍ଧ୍ବ ବୌଦ୍ଧ ଧର୍ମାବଲମ୍ବୀ ଏବଂ ଗୁରୁ ଯୋଗ ଦେଇଛନ୍ତି।

ବୌଦ୍ଧ ଗୁରୁ ୱାଙ୍ଗମୋ ଡିକ୍ସେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରାଙ୍କ ସହ ସମ୍ମାନୀତ ଅତିଥି ରୂପେ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଉପସ୍ଥିତ ଥିଲେ। ବିଭିନ୍ନ ଦେଶରୁ ଆସିଥିବା ଅଂଶଗ୍ରହଣକାରୀଙ୍କଉଦୟଗିରି ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର ଠାରୁ ଉଦୟଗିରି ପାର୍ଥନା ସ୍ଥଳ ପର୍ଯ୍ୟନ୍ତ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ଏହା ପରେ ଉପସ୍ଥିତ ଅତିଥିଗଣ ଅଭିଭାଷଣ ରଖିଥିଲେ। ଯାଜପୁର ସାଂସଦ ଶ୍ରୀ ବେହେରା କହିଥିଲେ ଯେ, ଭାରତର ଭବିଷ୍ୟତ ଯୁଦ୍ଧରେ ନୁହେଁ ବରଂ ବୁଦ୍ଧଙ୍କ ମାର୍ଗରେ ରହିଛି। ବୌଦ୍ଧ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଯାଜପୁର ଏବଂ ପ୍ରାଚୀନ ସମୟରେ ଏଠାରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଥିଲା, ଯେଉଁଠି ବିଦେଶରୁ ଆସି ଅଧ୍ୟୟନ କରୁଥିଲେ। ଗୁରୁ ପଦ୍ମସମ୍ଭବ ଭାରତ, ତିବ୍ବତ, ଚୀନ ସହ ସମଗ୍ର ଦକ୍ଷିଣ ଏସିଆରେ ବୌଦ୍ଧ ଦର୍ଶନର ପ୍ରଚାର ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଉଦୟଗିରିରେ ଆୟୋଜିତ ବୌଦ୍ଧ ସମ୍ମିଳନୀ ସାରା ବିଶ୍ୱକୁ ଦିଗଦର୍ଶନ ଦେବ ବୋଲି ସାଂସଦ କହିଥିଲେ। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କହିଥିଲେ ଯେ ଅନ୍ତର୍ଜାତୀୟ ସମ୍ମିଳନୀରେ ବିଭିନ୍ନ ସ୍ଥାନରୁ ବୌଦ୍ଧ ସନ୍ନ୍ୟାସୀ, ପର୍ଯ୍ୟଟକମାନେ ଯୋଗ ଦେଇ ଉପାସନା, ଧାର୍ମିକ ରୀତିନୀତି ଏବଂ ଆଲୋଚନା ଚକ୍ର କରୁଛନ୍ତି। ସେମାନଙ୍କ ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଯାଜପୁରରେ ବୌଦ୍ଧ କୀର୍ତ୍ତିରାଜି ଓ ପର୍ଯ୍ୟଟନର ଅଭିବୃଦ୍ଧି ଦିଗରେ ଏହା ସହାୟକ ହେବ ବୋଲି ଜିଲ୍ଲାପାଳ କହିଥିଲେ। ସେହିପରି ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ କହିଥିଲେ ଯେ ଉଦୟଗିରିଠାରେ ପ୍ରାଚୀନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଥିଲା ଏବଂ ଏଠାରୁ ହିଁ ଗୁରୁ ପଦ୍ମସମ୍ଭବ ବୌଦ୍ଧ ଧର୍ମର ପ୍ରସାର କରିଥିଲେ।

ଲାଇଟ ଅଫ୍ ବୁଦ୍ଧ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କ ଉଦ୍ୟମରେ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଅତି ସୁନ୍ଦର ଭାବେ ଆୟୋଜିତ ହୋଇଛି ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି। ୬ ଦିନ ବ୍ୟାପୀ ଏହି ସମ୍ମିଳନୀରେ ଦେଶ ବିଦେଶରୁ ଗବେଷକ, ବୌଦ୍ଧ ଗୁରୁ, ଐତିହାସିକମାନେ ଯୋଗ ଦେଇ ବୌଦ୍ଧ ଐତିହ୍ୟ ଓ ଦର୍ଶନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିବେ।

ଏହାସହ ସମାରୋହରେ ଯୋଗ ଦେଇଥିବା ବୌଦ୍ଧ ଧର୍ମାବଲମ୍ବୀ ଏବଂ ପର୍ଯ୍ୟଟକମାନେ ରତ୍ନଗିରି – ଲଳିତଗିରି – ଉଦୟଗିରି ହୀରକ ତ୍ରିଭୁଜ ପରିଦର୍ଶନ କରିବେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଦର୍ପଣ ତହସିଲଦାର, ବିଡ଼ିଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଶିକ୍ଷାନବିସ ରିଜର୍ଭ ଅଧିକାରୀ ସମ୍ମିଳନୀର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ। ଏହି ସମାରୋହରେ ସ୍ଥାନୀୟ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଉତ୍ସବ ଆୟୋଜନ କମିଟି ପକ୍ଷରୁ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ଆବାହକ ମହେଶ୍ୱର ବଳ ଅତିଥି ଓ ଆଗନ୍ତୁକ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *