ଶ୍ରୀପୟର ଧୂଳି କୋଟି ତୀର୍ଥ ବଳି କେଉଁ ତୀର୍ଥ ଯିବି ମୁହିଁ, ସେଇ ଧୂଳି ଅଙ୍ଗେ ନିଇତି ବୋଳୁଛି ଲଭିବି ବୈକୁଣ୍ଠ ଭୁଇଁ

# ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ

# ସୂଚିତ କରୁଛି ଧର୍ମ-ଅର୍ଥ-କାମ-ମୋକ୍ଷର ପରିଚାୟକ ଚତୁଃଦ୍ୱାର ଏବଂ ବୈକୁଣ୍ଠ ପ୍ରାପ୍ତିର ପଞ୍ଚତୀର୍ଥ

# ଶ୍ରୀଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମର ବାର୍ତ୍ତାବହ ପୁରୀର ମଠ

ପୁରୀ/ଭୁବନେଶ୍ୱର, ୯/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଓଡିଆ ଅସ୍ମିତାର ସଂପର୍କ ନିବିଡ । ଯେପରି ବିଶ୍ୱବାସୀଙ୍କ ହୃଦୟରେ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସ୍ୱତନ୍ତ୍ର, ସେହିପରି ଶ୍ରୀଜଗନ୍ନାଥ ସଂସ୍କୃତି ମଧ୍ୟରେ ଓଡିଆ ଅସ୍ମିତାର ସ୍ଥାନ ମଧ୍ୟ ସ୍ୱତନ୍ତ୍ର । ଶ୍ରୀଜଗନ୍ନାଥଙ୍କ ସମସ୍ତ ରୀତିନୀତିରେ ଦେଖିବାକୁ ମିଳେ ଓଡିଆ ଅସ୍ମିତାର ଝଲକ । ଏହାକୁ ବିଶ୍ୱଦରବାରରେ ପରିଚିତ କରାଇବା ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ପରିସରରେ ଗତ ୬ ତାରିଖ ଠାରୁ ଆୟୋଜିତ ହେଉଛି ଫଟୋଚିତ୍ର ପ୍ରଦର୍ଶନୀ । ଯେଉଁଥିରେ ଅତି ସୁଦୃଶ୍ୟ ଭାବରେ ସ୍ଥାନିତ ହୋଇଛି ପ୍ରାଚୀନ ଓ ନୂତନ ବଡଦାଣ୍ଡର ଫଟୋ । ସେଗୁଡିକୁ ନିଜନିଜ ମୋବାଇଲ ଫୋନ ଓ କ୍ୟାମେରାରେ ସାଇତି ରଖିବାର ପ୍ରୟାସ କରୁଛନ୍ତି ପ୍ରଦର୍ଶନୀ ମଣ୍ଡପକୁ ଆସୁଥିବା ଦର୍ଶକ । ସେହିପରି, ଶ୍ରୀମନ୍ଦିରର ଚତୁଃଦ୍ୱାରର ଫଟୋ ଏବଂ ତତ୍‌ସମ୍ପର୍କିତ ସଂକ୍ଷିପ୍ତ ସୂଚନା ସହିତ ଜନମାନସରେ ପଞ୍ଚତୀର୍ଥ ନାମରେ ପରିଚିତ ମହୋଦଧି, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର, ଶେ୍ୱତଗଙ୍ଗା ଓ ମାର୍କଣ୍ଡେୟ ପୁଷ୍କରିଣୀର ଫଟୋଗୁଡ଼ିକୁ ନେଇ ଯୁବପିଢି ଏବଂ କୋମଳମତି ପିଲାମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉତ୍ସୁକତା ଦେଖିବାକୁ ମିଳୁଛି । ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି ବିଗତ ଦିନରୁ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସେବାପୂଜା, ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର, ବହିରାଗତ ତୀର୍ଥଯାତ୍ରୀଙ୍କୁ ଆତିଥ୍ୟ ପ୍ରଦାନ, ସାଧୁ-ସନ୍ୟାସୀ-ଯୋଗୀମାନଙ୍କର ସେବା ସମେତ ବୈଦିକ ଓ ମୌଳିକ ଶିକ୍ଷାର ସଂସ୍ଥାପନ ଓ ବିକାଶ ସହିତ ସର୍ବଭାରତୀୟ ଭ୍ରାତୃଭାବର ପ୍ରତିଷ୍ଠା ଏବଂ ସନାତନ ଧର୍ମରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ପୁରୀର ପ୍ରାଚୀନ ମଠର ଫଟୋଗୁଡିକ । ଏହି ଫଟୋଗୁଡ଼ିକ ପ୍ରଦର୍ଶନୀ ମଣ୍ଡପକୁ ଆସୁଥିବା ସାଧୁସନ୍ଥମାନଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବା ସହ ସାଧାରଣ ଦର୍ଶକମାନଙ୍କ ଜ୍ଞାନର ପରିସରକୁ ମଧ୍ୟ ବୃଦ୍ଧି କରୁଛି । ସେହିପରି ଦର୍ଶକମାନେ ଭିଡିଓ ୱାଲରେ ପ୍ରଦର୍ଶିତ ଊନବିଂଶ ଶତାବ୍ଦୀର ରଥଯାତ୍ରା ସମ୍ପର୍କିତ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଓଡିଆ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଭକ୍ତିଭାବ ସମ୍ବଳିତ ସଂସ୍କୃତ ଶ୍ଳୋକ ଓ ଓଡିଆ ଗୀତ ସହିତ ଚଳିତ ରଥଯାତ୍ରା ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଜାରି କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ସୂଚନା ଗୁଡିକର ଚିତ୍ର ଉତ୍ତୋଳନ ଓ ଭିଡିଓ ରେକର୍ଡିଂ ଅତି ଆଗ୍ରହର ସହ କରୁଛନ୍ତି ।

Leave a Reply

Your email address will not be published. Required fields are marked *