ମାହାଙ୍ଗା,୧୦/୦୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା) ମାହାଙ୍ଗା ଥାନା କୁଆଁପାଳ-ବାଲିଚନ୍ଦ୍ରପୁର ରାସ୍ତାର କୁସୁପୁର ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ରାହାଣିଆ ପଂଚାୟତ କାଳିଅଣ୍ଟି ଗ୍ରାମର ଅନ୍ନା ଦାସ ସାଇକେଲ ଯୋଗେ ନିଜ ଘରୁ ବାଲିଚନ୍ଦ୍ରପୁର ବଜାରକୁ ଯାଉଥିବା ସମୟରେ OD-17D1920 ନମ୍ବର ବିଶିଷ୍ଟ ଏକ କାର ଭାରସାମ୍ୟ ହରାଇ କୁସୁପୁର ନିକଟ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ଥିବା ଏକ ସାଇଫନ ମୁହଁ ନିକଟରେ ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା । ଫଳରେ ସାଇକେଲ ଚାଳକ ବିଲ କଡରେ ଥିବା ବୁଦା ଭିତରକୁ ଛିଟିକି ପଡିଥିଲେ ।
ଡ୍ରାଇଭର ଜଣକ ଅତ୍ୟଧିକ ମଦ୍ୟପାନ କରି ଗାଡିରୁ ବାହାରି ଖସି ପଳାଉଥିବା ବେଳେ, ଓଳାଶୁଣୀ ଗୁମ୍ଫାରୁ ଫେରୁଥିବା କିଛି ବ୍ୟକ୍ତି ମଦ୍ୟପ ଡ୍ରାଇଭର କୁ କାବୁ କରିଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ ଓ ସେଠାରେ ଡାକ୍ତର ଗୁରୁତର ଅନା ଦାସଙ୍କୁ ମୃତ ଘୋଷଣା କରିଥିଲେ । ଏବେ ଡ୍ରାଇଭର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ପୋଲିସ ପହଂଚି ତଦନ୍ତ କରୁଛି ।
