ମାହାଙ୍ଗା,୨୧/୦୯/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )- ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତ ଗୋପାଳପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ଜନୈକ ଶିକ୍ଷକଙ୍କ ବଦଳି ହେବା ସହିତ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷକଙ୍କୁ ସେହି ସ୍କୁଲରେ ଅବସ୍ଥାପିତ କରାଯାଇଛି । ଏହାକୁ ନେଇ ଅଭିଭାବକ, ଛାତ୍ର ଓ ଗ୍ରାମବାସୀ ମାନେ ତୀବ୍ର ଅସନ୍ତୋଷ ପ୍ରକଟ ପୂର୍ବକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିରହିବା ଦେଖିବାକୁ ମିଳିଛି ।
ଆନ୍ଦୋଳନକାରୀଙ୍କୁ ବୁଝା ସୁଝା ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଅଧିକାରୀ ମାନେ ଘଟଣା ସ୍ଥଳୀରେ ପହଂଚି, ଆଲୋଚନା କରିବା ସତ୍ୱେ କୌଣସି ସମାଧାନ ହୋଇପାରିନାହିଁ । କାହିଁକି ବିଦ୍ୟାଳୟରୁ ଜଣେ ଦକ୍ଷ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଗଲା ଓ ତାଙ୍କ ସ୍ଥାନରେ ଜଣେ ଭିନ୍ନକ୍ଷମ ଶିକ୍ଷକଙ୍କୁ ଗୋପାଳପୁର ସ୍କୁଲକୁ ପଠା ଗଲା, ସେ ନେଇ ଅଭିଭାବକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।
ବଦଳି ହୋଇଥିବା ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରା ନଯିବା ପର୍ଯ୍ୟନ୍ତ ସ୍କୁଲରେ ତାଲା ପଡିବ ଏବଂ ପିଲାମାନଙ୍କୁ ନେଇ ଅଭିଭାବକ ମାନେ ଆନ୍ଦୋଳନ ଜାରୀ ରଖିବାକୁ ଚେତାବନୀ ଦେବାରୁ ଶିକ୍ଷା ବିଭାଗ ଅକଳରେ ପଡିବା ଚର୍ଚ୍ଚା ହେଉଛି ।
